ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କଲେ ମନ୍ତ୍ରୀ ଓ ବିଧାୟକ

ପିପିଲି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଗାଁ ଗାଁରେ ଭୋଟ୍‍ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି। କୋଭିଡ୍‍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର କଟକଣା କୋହଳ ହେବା ପରେ ପ୍ରତ୍ୟେକ ଜିଲା ପରିଷଦ ଜୋନ୍‍, ପଞ୍ଚାୟତ ଓ ୱାର୍ଡରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ନିଜ ନିଜର ଭୋଟ୍‍ ପ୍ରଚାରକୁ ଜୋରଦାର କରିଛନ୍ତି। ଗାଁ ଗାଁରେ ଘରକୁ ଘର ବୁଲି ପ୍ରାର୍ଥୀ ଓ ନେତାମାନେ ଭୋଟ୍‍ ପ୍ରଚାର ଚଳାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି। ଏପରିକି ଡାକବାଜି ଯନ୍ତ୍ରରେ ବିଭିନ୍ନ ଗୀତ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ଏଥିଯୋଗୁଁ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି।
ଗୁରୁବାର ଦିନ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଦଳୀୟ ନେତା, କର୍ମୀ ଓ ପ୍ରାର୍ଥୀଙ୍କ ସହ ପିପିଲି ବ୍ଳକର ୨୩ ଓ ୨୪ ନଂ ଜିଲା ପରିଷଦ ଜୋନ୍‍ର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉଭୟ ନେତା ଲୋକଙ୍କୁ ଅବଗତ କରାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‍ ଭିକ୍ଷା କରିଥିଲେ। ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‍ ଦେଇ ବିଜୟୀ କରାଇବା ପାଇଁ ଭୋଟର ମାନଙ୍କୁ ସେମାନେ ନିବେଦନ କରିଥିଲେ।

 

୨୩ନଂ ଜିଲା ପରିଷଦ ଜୋନ ଅନ୍ତର୍ଗତ ଦୁର୍ଗାଦାଶପୁର ପଞ୍ଚାୟତର ମାଳିକପାଳି, ଜେନାସାହି, ବଧି, ଠଣଠଣା ଓ ବାରବାଟି ଆଦି ଗ୍ରାମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ବିଧାୟକ ଶ୍ରୀ ମହାରଥୀ ଘରକୁ ଘର ବୁଲି ବିଜେଡି ଦଳର ଜିଲା ପରିଷଦ ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ। ଏହା ପରେ ୨୪ ନଂ ଜୋନ୍‍ର ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ପାଇଁ ଉଭୟ ନେତା ରଥପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ଯଶୁଆପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭୋଟ୍‍ ପ୍ରଚାର କରିଥିଲେ। ମନ୍ତ୍ରୀ ଓ ବିଧାୟକଙ୍କ ସହିତ ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଯୁବନେତା ଲିଙ୍କନ ପଟ୍ଟନାୟକ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ସଂପାଦକ ବିଶ୍ୱଜିତ ରାୟଚୌଧୁରୀ, ଯୁବନେତା ବିଶ୍ୱଜିତ ଦାଶ, ବରିଷ୍ଠ ନେତ୍ରୀ ରାଧାମଣୀ ପ୍ରଧାନ, ଯୁବନେତା ଆଶିଷ ବରାଳଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଗାଁକୁ ଗାଁ ବୁଲି ଅଞ୍ଚଳର ବିକାଶ ଧାରାକୁ ଆଗକୁ ନେବା ପାଇଁ ଦଳୀୟ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ୍‍ ଦେଇ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ।

Comments are closed.