୨୨ରେ ପିପିଲି ବ୍ଲକରେ ଭୋଟ: ସରିଲା ପ୍ରଚାର, ୩୫୪ ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି

୩ଟି ଗୋଲାପୀ ମତଦାନ କେନ୍ଦ୍ର, ୭୮ ଅତି ଉତ୍ତେଜନାପ୍ରବଣ ଓ ୧୫୦ ଉତ୍ତେଜନାପ୍ରବଣ ବୁଥ୍‍

ପିପିଲି: ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ୨୨ ତାରିଖରେ ପିପିଲି ବ୍ଳକର ୩ଟି ଜିଲା ପରିଷଦ ଜୋନ୍‍ ଓ ୨୫ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ପୁଲିଂ ପାର୍ଟିମାନେ ବ୍ଲକ କାର୍ଯ୍ୟାଳୟରୁ ବାଲାଟ୍‍ ବାକ୍ସ ଓ ବାଲାଟ୍‍ ପେପର ସହ ଅନ୍ୟାନ୍ୟ ନିର୍ବାଚନୀ ଉପକରଣ ନେଇ ବୁଥରେ ପହଞ୍ଚି ଭୋଟ୍‍ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଥିବା ସୂଚନା ମିଳିଛି। ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ମୋଟ୍‍ ୩୫୪ଟି ବୁଥ୍‍ ମଧ୍ୟରୁ ୭୮ଟି ବୁଥ୍‍କୁ ଅତି ଉତ୍ତେଜନାପ୍ରବଣ ଓ ୧୫୦ଟି ବୁଥ୍‍କୁ ଉତ୍ତେଜନାପ୍ରବଣ ବୁଥ୍‍ ଭାବେ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ ଏହି ବ୍ଲକର ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଠାରେ ଥିବା ୬, ୮ ଓ ୧୧ନଂ ମତଦାନ କେନ୍ଦ୍ରକୁ ଗୋଲାପୀ ମତଦାନ କେନ୍ଦ୍ର (ପିଙ୍କ୍‍ ବୁଥ୍‍ ) କରାଯାଇଛି। ଏଠାରେ ନିୟୋଜିତ ସମସ୍ତ ୯ଜଣ ପୁଲିଂ କର୍ମଚାରୀମାନେ ମହିଳା ହୋଇଥିବା ସୂଚନା ମିଳିଛି।

୨୨ ତାରିଖ ମଙ୍ଗଳବାର ଦିନ ଏହି ବ୍ଲକର ୨୫ଟି ପଞ୍ଚାୟତ ଓ ୩ଟି ଜିଲା ପରିଷଦ ଜୋନ୍‍ରେ ନିର୍ବାଚନ ହେବାକୁ ଥିବା ବେଳେ ୩୫୪ଟି ମତଦାନ କେନ୍ଦ୍ରରେ ୬୦୫୦୯ ଜଣ ପୁରୁଷ ଓ ୫୫୬୨୦ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୧,୧୬,୧୨୯ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଏହି ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ୭୩ଜଣ, ସମିତିସଭ୍ୟ ପଦବୀ ପାଇଁ ୬୬ଜଣ, ଓାର୍ଡ ସଭ୍ୟ ପାଇଁ ୬୭୫ଜଣ ଓ ଜିଲା ପରିଷଦ ସଭ୍ୟ ପାଇଁ ୧୫ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମତଦାନ କେନ୍ଦ୍ର ଗୁଡିକରେ ପୋଲିଂ ପାର୍ଟି ପହଞ୍ଚିବା ପରେ ସେଠାରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୩୫୪ ବୁଥ୍‍ ପାଇଁ ୩୫୪ ପୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଥିବା ବେଳେ ୩୫ଟି ରିଜର୍ଭ ପୋଲିଂ ପାର୍ଟି ବ୍ଲକ ସଦର ମହକୁମାରେ ସଂରକ୍ଷିତ ରହିଛି। ଏହି ନିର୍ବାଚନ କାର୍ଯ୍ୟରେ ୯ଜଣ ମହିଳାଙ୍କ ସମେତ ମୋଟ୍‍ ୧୧୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିବା ସୂଚନା ମିଳିଛି।

ରବିବାର ଦିନତମାମ୍‍ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯିବା ସହ ବିଭିନ୍ନ ପଞ୍ଚାୟତରେ ରୋଡ୍‍ସୋ ଓ ପଥପ୍ରାନ୍ତ ସଭା କରାଯାଇଥିଲା। ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ସଭ୍ୟ ଆଦି ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଉଚ୍ଚ ସ୍ୱରରେ ବିଭିନ୍ନ ପ୍ରକାର ଗୀତ ଓ ସଙ୍ଗୀତ ମାଧ୍ୟମରେ ଚାଲିଥିବା କାନଫଟା ପ୍ରଚାର ଜନିତ ଶବ୍ଦ ପ୍ରଦୂଷଣ ରବିବାର ସନ୍ଧ୍ୟାରୁ ଥମି ଯାଇଛି। ଫଳରେ ଲୋକେ ଆଶ୍ୱସ୍ତି ଅନୁଭବ କରୁଥିବା ସୂଚନା ମିଳିଛି। ‘ହାତି ନେ- ଘୋଡା ନେ, ମୋ ପେଁକାଳୀ ବଜାଇ ଦେ’ ନ୍ୟାୟରେ ଭୋଟ୍‍ ହାତେଇବା ପାଇଁ କୁଜିନେତା ଓ ଅଧିକାଂଶ ପ୍ରାର୍ଥୀମାନେ ଏବେ ଅନ୍ଧାରି ବିଜେରେ ବାହାରି ଭୋଟରଙ୍କୁ ନାନା ପ୍ରଲୋଭନ ସହ ଭେଟି ଦେବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଗାଁଗଣ୍ଡାରେ ଏବେ ଭୋଜିର ଆସର ବେଶ୍‍ ଜମିଛି। ଯେଉଁ ପଞ୍ଚାୟତରେ ପ୍ରତିଦ୍ୱନ୍ଦୀ ଅଧିକ ସେଠାରେ ଭୋଜି ଓ ମଦମାଂସର ଆୟୋଜନ ମଧ୍ୟ ଅଧିକ ବୋଲି କୁହାଯାଉଛି। ବିଭିନ୍ନ ଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଛକ୍କାପଞ୍ଝା ଲାଗି ରହିଥିବା ବେଳେ ପୁଲିସ ପକ୍ଷରୁ ଘନଘନ ପାଟ୍ରୋଲିଂ କରାଯିବା ସହ ନିର୍ଦିଷ୍ଟ କେତେକ ଗ୍ରାମ୍ୟଛକ, ବଜାର ଆଦି ସ୍ଥାନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ପୁଲିସ ପକ୍ଷରୁ ରାତ୍ର ପାଟ୍ରୋଲିଂକୁ ଅଧିକ କଡାକଡି କରାଯାଇଛି।

Comments are closed.