ପିପିଲି ଉପନିର୍ବାଚନ: ଦିନରେ ଭୋଟ୍‍ ପ୍ରଚାର, ସଂନ୍ଧ୍ୟାରେ ମିଶ୍ରଣ ପର୍ବ

ପିପିଲି: ପିପିଲି ବିଧାନସଭା ଆସନ ଉପନିର୍ବାଚନକୁ ମଝିରେ ଆଉ ମାତ୍ର ୭ଦିନ ବାକି ରହିଥିବା ବେଳେ ଏବେ ଭୋଟ୍‍ ପ୍ରଚାର ସରଗରମ ହେବାରେ ଲାଗିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଓ କୋଭିଡ୍‍ କଟକଣା ଯୋଗୁଁ ଏବେ ଛୋଟ ଛୋଟ ସଭା ଉପରେ ସମସ୍ତ ରାଜନୈତିକ ଦଳ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ପଞ୍ଚାୟତ ଓ ୱାର୍ଡରେ ସ୍ୱଳ୍ପ ସଂଖ୍ୟାରେ କର୍ମୀ ଓ ସମର୍ଥକଙ୍କୁ ନେଇ ଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ଗାଁ ଗାରେ ଏବେ ଠାରୁ ଭୋଜିର ଆସର ଜମିବାରେ ଲାଗିଛି। ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିନରେ ଭୋଟ୍‍ ପ୍ରଚାର ଓ ସାଙ୍ଗଠନିକ ବୈଠକ ଚାଲିଥିବା ବେଳେ ସଂନ୍ଧ୍ୟାରେ ଦଳୀୟ ମିଶ୍ରଣ ପର୍ବ ଚାଲିଛି। ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ନେତା ମାନେ ଭୋଟରଙ୍କୁ ପୁଳା ପୁଳା ପ୍ରତିଶୃତିରେ ପୋତି ପକାଉଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଏହି ପିପିଲି ଉପନିର୍ବାଚନ ଏବେ ସମସ୍ତ ଦଳ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଅଟେ। ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବହୁ ସଂଖ୍ୟାରେ ବିଭିନ୍ନ ଦଳର ବରିଷ୍ଠନେତା, ମନ୍ତ୍ରୀ ଓ ବିଧାୟକମାନେ ଏବେ ପିପିଲି ଓ ଡେଲାଙ୍ଗରେ ଡେରା ପକାଇଛନ୍ତି।

ବିଜୁ ଜନତା ଦଳର ମହିଳା ସମାବେଶ ବୁଧବାର ପୁବାଶାସନ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡିର ତାରକା ପ୍ରଚାରକ ତଥା ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ପିପିଲି ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, କଣ୍ଟି ସରପଞ୍ଚ ପ୍ରକାଶ କୁମାର ଧଳ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କିତ ବାର୍ତ୍ତା ସହ ନିର୍ବାଚନମଣ୍ଡଳୀରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇ ଦଳକୁ ଅଧିକ ଭୋଟ୍‍ ବ୍ୟବଧାନରେ ଜିତାଇବା ପାଇଁ ଉପସ୍ଥିତ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ପିପିଲି ନିର୍ବାଚନମଣ୍ଡଳୀରେ ବିକାଶର ଧାରାକୁ ଆଗେଇ ନେବା ପାଇଁ ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ରୁଦ୍ରପ୍ରତାପଙ୍କୁ ବିପୁଳ ଭୋଟ୍‍ରେ ବିଜୟୀ କରାଇବା ପାଇଁ ନେତାମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାଶ, ପୁବା ପଞ୍ଚାୟତର ମହିଳା ମହାସଂଘ ସଂପାଦିକା ପଲ୍ଲିଶ୍ରୀ ମହାନ୍ତି, ସଭାନେତ୍ରୀ ମୀରାରାଣୀ ମହାନ୍ତି, ନାରୀନେତ୍ରୀ ରଶ୍ମିରେଖା ଦାଶ, ପ୍ରତିମା ନାୟକ, ପ୍ରଣତି ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସ୍ମୃତିଚାରଣ କରିବା ସହ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ସପକ୍ଷରେ ଭୋଟ୍‍ ଭିକ୍ଷା କରିଥିଲେ।

ସେହିପରି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ରଥସାହିରେ ବିଜେପି ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଦଳର ବରିଷ୍ଠନେତା ଓ ନେତ୍ରୀମାନେ ଯୋଗଦେଇ କର୍ମୀ ଓ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସରପଞ୍ଚ ଶୁବାଶିଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତୀ ପଟ୍ଟନାୟକ, ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ବରିଷ୍ଠନେତା ପ୍ରକାଶ ମଙ୍ଗରାଜ, ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ପୂର୍ବତନ ସରପଞ୍ଚ ସୁବୋଧ ମହାନ୍ତି, ବରିଷ୍ଠ ସଂଗଠକ ମହେଶ୍ୱର ଜେନା ପ୍ରମୁଖ ଯୋଗଦେଇ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିବା ସହ ଅଞ୍ଚଳରେ ଶାନ୍ତି ଓ ପ୍ରଗତି ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇ ଦଳ ସପକ୍ଷରେ ଜନମତ ଲୋଡିବା ପାଇଁ କର୍ମୀମାନଙ୍କୁ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀପଟ୍ଟନାୟକ ପରାମର୍ଶ ଦେବା ସହ ନିଜ ସପକ୍ଷରେ ଭୋଟ୍‍ ଭିକ୍ଷା କରିଥିଲେ। ଏହାପରେ ପୁବା, ଉତ୍ତରାଶାସନ, ଏକଚାଳିଆ, ଆରୁହା, ପାଟ୍ଟଶାଣୀପୁର, କୁଞ୍ଜର, ଶିଉଳା, ଗୋବିନ୍ଦପୁର ଆଦି ଗ୍ରାମରେ ସମ୍ବିତ ପାତ୍ର ଘରକୁ ଘର ବୁଲି ଆଶ୍ରୀତଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ।

ରାଜ୍ୟ କଂଗ୍ରେସର ତାରକା ପ୍ରଚାରକମାନେ ବୁଧବାର ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ତିଗିରିଆ ଠାରେ କଂଗ୍ରେସର ଏକ କାର୍ଯ୍ୟକାରିଣୀ ବୈଠକରେ ଦଳର ତାରକା ପ୍ରଚାରକ ତଥା ଏଆଇସିସି ସଂପାଦକ ଓ ଦଳର ରାଜ୍ୟ ପ୍ରଭାରୀ ଜି. ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ପିସିସି ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସ ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପ ସଂପର୍କିତ ବାର୍ତ୍ତାକୁ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଉଭୟ ବିଜେପି ଓ ବିଜେଡି ସରକାରଙ୍କ ଜନବିରୋଧି କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷକୁ ନିର୍ବାଚନମଣ୍ଡଳୀବାସୀ ଭୋଟ୍‍ରେ ପ୍ରକାଶ କରିବେ ଓ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଦୀପ ମାଝି ଗଣମାଧ୍ୟମକୁ କହିଥିଲେ। କୃଷି ସମସ୍ୟା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଆଦି ସମସ୍ୟାକୁ କଂଗ୍ରେସ ଏଠାରେ ମୁଖ୍ୟପ୍ରସଙ୍ଗ କରିଥିବା ସେ କହିବା ସହ ପିପିଲି ଉପନିର୍ବାଚନ ଓଡିଶା ରାଜନିତୀରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମାଝୀ କହିଥିଲେ। ଅପରାହ୍ନରେ ପିପିଲି ଏନ୍‍ଏସି ଦଳୀୟ କାଯ୍ୟାଳୟ ଠାରେ ଯୁବନେତା ସେକ୍‍ ମେହେବୁବ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଉପରସ୍ଥ ନେତାମାନେ ଯୋଗଦେଇ କର୍ମୀମାନଙ୍କୁ ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ଗୁରୁମନ୍ତ୍ର ଦେଇଥିଲେ।

ସିପିଆଇ(ଏମ୍‍ଏଲ୍‍) ଲିବରସେନ୍‍ ର ପ୍ରାର୍ଥୀ ଅଶୋକ ପ୍ରଧାନ ସମଗ୍ର ନିର୍ବାଚନମଣ୍ଡଳୀରେ ନିଜର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। କେନ୍ଦ୍ର ସରକାରଙ୍କର ୩ଟି ବିବାଦୀୟ ନୂତନ କୃଷି ଆଇନ ସହିତ ଗ୍ୟାସ, ତୈଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ଶ୍ରମିକ ବିରୋଧି ଶ୍ରମକୋର୍ଡ ପ୍ରଚଳନକୁ ତୀବ୍ର ପ୍ରତିବାଦ କରି ସେ ଏହାକୁ ନିଜର ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ତତ୍‍ସହିତ ରାଜ୍ୟ ସରକାରଙ୍କର ବିଜେପିକୁ ସମର୍ଥନ କରିବାର ଦୋମୁଁହା ନିତୀ ଓ ଦୁର୍ନିତୀ, ଭ୍ରଷ୍ଟାଚାର, ସ୍ଥାଣୁତା ବିରୁଦ୍ଧରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ସେ ଗାଁ ଗାଁରେ ବୁଲି ପ୍ରଚାର ଚଳାଇବା ସହ ନିର୍ବାଚନମଣ୍ଡଳୀର ପ୍ରମୁଖ ସମସ୍ୟାକୁ ଆୟୁଧ କରି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଜ ସପକ୍ଷରେ ଭୋଟ୍‍ ପ୍ରଚାର କରୁଛନ୍ତି। ବୁଧବାର ଶ୍ରୀପ୍ରଧାନ ପିପିଲି ବ୍ଳକର ପମସରା, ଗୋବିନ୍ଦପୁର, ପୁବାଶାସନ ଓ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‍ ପ୍ରଚାର କରିଥିଲେ। ସାଧାରଣ ମଣିଷର ସ୍ୱାର୍ଥ ସହିତ ଜଡିତ ସମସ୍ତ ପ୍ରସଙ୍ଗ ମଧ୍ୟରେ କୃଷକ ଆନ୍ଦୋଳନ, କର୍ପୋରେଟ୍‍ ବିଲ୍‍, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି, ଦୁର୍ନିତୀ, ଭ୍ରଷ୍ଟାଚାର ଓ ସରକାରଙ୍କ ସ୍ଥାଣୁତା, ଉତ୍କଟ ବେକାରୀ ଆଦି ସମସ୍ୟା ସଂପର୍କରେ ସେ ଆଲୋକପାତ କରିବା ସହ ତାଙ୍କୁ ତିନିତାରକା ଚିହ୍ନିତ ପତାକା ଚିହ୍ନରେ ଭୋଟ୍‍ ଦେଇ ଜିତାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

Comments are closed.