ବଧୁହତ୍ୟା ଅଭିଯୋଗରେ ସ୍ୱାମୀ ଓ ଶାଶୁଙ୍କୁ କୋର୍ଟ ଚାଲାଣ

ପିପିଲି:ପିପିଲି ଥାନା ଅନ୍ତର୍ଗତ ଭଉଳ ଗ୍ରାମରେ ଘଟିଥିବା ଏକ ଯୌତୁକ ଜନିତ ବଧୁହତ୍ୟା ଅଭିଯୋଗ ମାମଲାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରି ଆଜି ପିପିଲି କୋର୍ଟକୁ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପମସରା ପଞ୍ଚାୟତ ଅନ୍ତର୍ଗତ ଭଉଳ ଗ୍ରାମର ବ୍ରଜମୋହନ ସାହୁ(୩୩) ଓ ତାଙ୍କ ମାଆ ଖୋଲଣା ସାହୁ(୫୭) ।
ଭଉଳ ଗ୍ରାମର ବ୍ରଜମୋହନ ସାହୁଙ୍କ ପତ୍ନୀ ରିଙ୍କି ସାହୁ ଓରଫ ରିୟା (୨୫)କୁ ଅଧିକ ଯୌତୁକ ପାଇଁ ଶନିବାର ହତ୍ୟା କରାଯାଇଥିବା ନେଇ ମୃତା ରିଙ୍କିଙ୍କ ମାଆ ସୁକାନ୍ତି ପରିଡା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ୫ବର୍ଷ ତଳେ ନିକଟବର୍ତ୍ତୀ ମଗଲପୁର ଗ୍ରାମର ପ୍ରସନ୍ନ ପରିଡାଙ୍କ କନ୍ୟା ରିଙ୍କିଙ୍କ ସହ ବ୍ରଜମୋହନଙ୍କ ବିବାହ ବୈଦିକ ରିତିରେ ହୋଇଥିଲା । ତେବେ ରିଙ୍କିଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ବିଭିନ୍ନ ସମୟରେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ, ରିଙ୍କିଙ୍କୁ ଖାଇବାକୁ ଦିଆଯାଉନଥିବା ଓ େଔଷଧ ମଧ୍ୟ ଦିଆଯାଉନଥିବା ବେଳେ ସ୍ୱାମୀ ସମେତ ଶାଶୁଘର ଲୋକେ ତାଙ୍କୁ ବାଡିଆପିଟା କରୁଥିବା ସଂପର୍କରେ ସେ ଗତ ୧୧ ତାରିଖ ସକାଳ ସାଢେ ୮ଟା ସମୟରେ ନିଜ ମାଆ ସୁକାନ୍ତିଙ୍କୁ ଫୋନ୍‍ କରି କହିଥିଲେ ।

 

ଝିଅ ଠାରୁ ଏକଥା ଶୁଣିବା ପରେ ସୁକାନ୍ତି ଓ ତାଙ୍କ ସ୍ୱାମୀ ପ୍ରସନ୍ନ ଭଉଳ ଗ୍ରାମ ସ୍ଥିତ ଝିଅର ଘରକୁ ଯାଇଥିଲେ । ଘର ଭିତରେ ଝିଅ ପାଟିରୁ ବଚ କାଢି ପଡିଥିବା ଓ ପାଖରେ ଏକ ଦଉଡା ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ । ରିଙ୍କିକୁ ତାଙ୍କ ଶାଶୁଘର ଲୋକେ ମିଳିମିଶି ହତ୍ୟା କରିଛନ୍ତି ବୋଲି ସୁକାନ୍ତି ସେହିଦିନ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ରିଙ୍କିଙ୍କ ମୃତଦେହକୁ ପିପିଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପିପିଲି ଥାନାରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସୁରମା ସ୍ୱାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇବା ସହ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଥିଲେ । ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀ ବ୍ରଜମୋହନ ଓ ଶାଶୁ ଖୋଲଣା ସାହୁଙ୍କୁ ପୁଲିସ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ସଂପର୍କରେ ଏସ୍‍ଆଇ ଶ୍ରୀମତୀ ସ୍ୱାଇଁ ସୂଚନା ଦେଇଛନ୍ତି । ମୃତା ରିଙ୍କିଙ୍କର ୨ଟି ଶିଶୁପୁତ୍ର ଥିବା ବେଳେ ପୁଲିସ ସେମାନଙ୍କୁ ତାଙ୍କ ଅଜା, ଆଇଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Comments are closed.