କୋଭିଡ୍‍ କଟକଣାକୁ ଫୁ; ବିପଦ ମୁହାଁ ପିପିଲି

ପିପିଲି:କରୋନାର ଦ୍ୱିତୀୟ ଲହରୀକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାର ପଦକ୍ଷେପ ଗ୍ରହଣ କରାଯାଉଛି। ଏଭଳି ସମୟରେ ପିପିଲିରେ କିନ୍ତୁ କେହି ସଚେତନ ନଥିବା ପରିଲକ୍ଷିତ ହୋଇଛି। ଛକ ବଜାର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ କୋଭିଡ୍‍ କଟକଣାକୁ ଉଲଂଘନ କରାଯାଉଥିବା ପରିଲକ୍ଷିତ ହୋଇଛି।
ଉପନିର୍ବାଚନକୁ ଆଉ ମାତ୍ର ଦିନ ୬ଟା ବାକି ରହିଥିବା ବେଳେ ବିଭିନ୍ନ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ସରଗରମ ପ୍ରଚାର ଚାଲିଛି। ଶୋଭାଯାତ୍ରା, ସମାବେଶ, ପଦଯାତ୍ରା ମାଧ୍ୟମରେ ନେତାମାନେ ଭୋଟ୍‍ ପ୍ରଚାରରେ ମାତିଛନ୍ତି। ପ୍ରମୁଖ ରାଜନୈତିକ ଦଳ ଗୁଡିକ ବିଜୟ ସମ୍ଭାବନାରେ ଉଲ୍ଲସିତ ହୋଇ କୋଭିଡ୍‍ କଟକଣାକୁ ସଂପୂର୍ଣ୍ଣ ଭାବେ ଉଲଂଘନ କରୁଥିବା ଘଟଣା ବୁଦ୍ଧିଜିବି ମହଲରେ ଚିନ୍ତାର କାରଣ ପାଲଟିଛି। ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ସମାବେଶ ଓ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେଉଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବଜାୟ ରଖିବାକୁ ସମସ୍ତେ ଭୁଲି ଯାଉଛନ୍ତି।

ପିପିଲି ଉପନିର୍ବାଚନ ନିମନ୍ତେ କରୋନ କଟକଣା ନେଇ ଗାଇଡଲାଇନ ଜାରି କରିଛନ୍ତି ଏସଆରସି। କିନ୍ତୁ ବଡ ଦୁଃଖର ବିଷୟ, ସଭାସମିତି ଓ ଭୋଟ୍‍ ପ୍ରଚାର ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ପାଣିର ଗାର ସଦୃଶ ହୋଇଛି। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରୁ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମକର୍ତ୍ତା ଓ ସଂଗଠକମାନେ ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଡେରା ପକାଇଛନ୍ତି। ଦେଢ ହଜାରରୁ ଉର୍ଦ୍ଧ ନେତା, ସଂଗଠକ ପ୍ରତିଦିନ ନିର୍ବାଚନମଣ୍ଡଳୀରେ ଭୋଟ୍‍ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ଅଞ୍ଚଳର ସମସ୍ତ ମଣ୍ଡପ, କ୍ଲବ ଘରେ ଏବେ ନେତାମାନେ ରହୁଥିବା ବେଳେ ଗାଁ ଗଣ୍ଡାରେ ମଧ୍ୟ ଭଡାଘରେ ଓ କର୍ମୀଙ୍କ ଘରେ ନେତା, ମହିଳାନେତ୍ରୀ ମାନେ ରହି ଭୋଟ୍‍ ପ୍ରଚାର ଚଳାଇଛନ୍ତି। ଦିନରାତି ବିଭିନ୍ନ ସ୍ଥାନରେ ଶତାଧିକ ଲୋକଙ୍କୁ ଏକତ୍ରିତ କରି ସଭାସମିତି କରାଯାଉଛି। ପ୍ରତି ଗାଁରେ ଭୋଜି ଭାତର ଆସର ମଧ୍ୟ ଜମୁଛି। କେଉଁ ଠାରେ କରୋନା କଟକଣାକୁ ଠିକ୍‍ ଭାବେ ପାଳନ କରାଯାଉନଥିବା ପରିଲକ୍ଷିତ ହୋଇଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟ୍‍ ପ୍ରଚାର ଓ ଲୋକଙ୍କ ସମାଗମ ସେତିକି ବଢୁଛି। ପ୍ରଶାସନ ଏସବୁକୁ ଦେଖୁଥିଲେ ମଧ୍ୟ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କୁହାଯାଉଛି।
ଇତି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳର ନେତାମାନେ ସଂଗରୋଧରେ ଅଛନ୍ତି। ନିର୍ବାଚନ ପ୍ରଚାର ସମୟରେ କରୋନା କଟକଣା ପ୍ରତି ନେତା, କର୍ମୀ, ଜନତା ଓ ପ୍ରଶାସନର ଅଣଦେଖା ଆଗାମୀ ଦିନରେ ପିପିଲିକୁ ଏକ ଭୟଙ୍କର ବିପଦ ଆଡକୁ ଟାଣି ନେଉଛି ଏକଥାକୁ ଅସ୍ୱିକାର କରାଯାଇପାରିବ ନାହିଁ।


ପିପିଲି ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ୬୩ବର୍ଷ ବୟସ୍କ ପୁରୁଣା ୱାରେଣ୍ଟି କରୋନା ପଜେଟିଭ୍‍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପୁଲିସ ତାଙ୍କୁ ଗତ କାଲି ଗିରଫ କରିଥିବା ବେଳେ ଆଜି କୋଭିଡ୍‍ ଟେଷ୍ଟ ସମୟରେ ରିପୋର୍ଟ ପଜେଟିଭ୍‍ ଆସିଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି। ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ପୁରୀର କୋଭିଡ୍‍ ହେଲ୍‍ଥ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି। ବିନା କାରଣରେ ଥାନାକୁ ନ ଆସିବା ଓ କୋଭିଡ୍‍ କଟକଣାକୁ ଠିକ୍‍ ଭାବେ ପାଳନ କରିବା ପାଇଁ ଆଇଆଇସି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Comments are closed.