ଜୀବିକା ନିର୍ବାହର ବିକାଶ ପାଇଁ ମାଛ ଚାଷ ସବୁଠାରୁ ଭଲ ମାଧ୍ୟମ

ସିଫା ପକ୍ଷରୁ ଭଟିଣ୍ଡାରେ ରଙ୍ଗୀନ ମାଛଚାଷ ଓ ଜାଆଁଳ ଉତ୍ପାଦନ ପ୍ରଶିକ୍ଷଣ

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ଭଟିଣ୍ଡା ସ୍ଥିତ ଆଞ୍ଚଳିକ କେନ୍ଦ୍ର ଠାରେ ପଞ୍ଜାବ ସରକାରଙ୍କ ମିଳିତ ସହଯୋଗରେ ରଙ୍ଗୀନ ମାଛ ଚାଷ ଓ ଜାଆଁଳ ଉତ୍ପାଦନ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଅବସରରେ ଭଟିଣ୍ଡା ଠାରେ ୩ଦିନ ଧରି ଅନୁଷ୍ଠିତ ଶିବିରରେ ୬୦ ଜଣ ଅଗ୍ରଣୀ ମତ୍ସ୍ୟଚାଷୀ ଯୋଗଦେଇ ରଙ୍ଗୀନ ମାଛ ଚାଷ ଓ ଜାଆଁଳ ଉତ୍ପାଦନ ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ସିଫାର ଭଟିଣ୍ଡା ସ୍ଥିତ ଆଞ୍ଚଳିକ କେନ୍ଦ୍ର ଦାୟିତ୍ୱରେ ଥିବା ବୈଜ୍ଞାନିକ ଡ.ମୁକେଶ କୁମାର ବୈରୁଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିଫାର ନିର୍ଦେଶକ ଡ.ସରୋଜ କୁମାର ସ୍ୱାଇଁ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ହରିଆନା, ପଞ୍ଜାବ, ରାଜସ୍ଥାନ ଓ ଦିଲ୍ଲୀ ଅଞ୍ଚଳରେ ବସବାସ କରୁଥିବା ଚାଷ ଉପଯୋଗୀ ଭୂମିହୀନ ତଫସିଲଭୁକ୍ତ ଜାତିର ଚାଷୀମାନଙ୍କ ପାଇଁ ରଙ୍ଗୀନ ମାଛଚାଷ ଏକ ଫଳପ୍ରଦ ଯୋଜନା ବୋଲି କହିଥିଲେ। ସିଫା ଦ୍ୱାରା ପ୍ରାୟୋଜିତ ହେଉଥିବା ‘ରଙ୍ଗୀନ ମାଛ ଗାଁ ଯୋଜନା’ଟି ରଙ୍ଗୀନ ମାଛ ଉତ୍ପାଦନ ଓ ବିକ୍ରୟ ପାଇଁ ଏକ ଉପଯୋଗୀ ଯୋଜନା ଏବଂ ପରିବେଶ ଅନୁସାରେ ଗୋଲ୍ଡଫିସ୍ ଓ କାର୍ପ ଜାତୀୟ ମାଛ ଚାଷ ଏଥିପାଇଁ ଉତ୍ତମ ବୋଲି ଡ. ସ୍ୱାଇଁ ମତବ୍ୟକ୍ତ କରିଥିଲେ।

 

ଅନ୍ୟତମ ଅତିଥି ଭାବେ ପଞ୍ଜାବ ସରକାରଙ୍କ ମତ୍ସ୍ୟ ବିଭାଗ ଉପ-ନିର୍ଦ୍ଦେଶକ ବ୍ରଜଭୁଷଣ ଗୋଏଲ ଯୋଗଦେଇ ଜୀବିକା ନିର୍ବାହର ବିକାଶ ପାଇଁ ମାଛ ଚାଷ ସବୁଠାରୁ ଭଲ ମାଧ୍ୟମ ବୋଲି ପ୍ରକାଶ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଉପରେ ସିନମ୍ ଜିନ୍ଦଲ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସିଫାର ବୈଜ୍ଞାନିକ ଡ. ମୁକେଶ କୁମାର ବୈରୁଆ ଓ ଡ. ସୁନୀଲ ଅଇଲ ମତ୍ସ୍ୟଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ବୈଷୟିକ ଅଧିକାରୀ ଶିଶିର କୁମାର ମହାନ୍ତି ଓ ଦୁର୍ଗାପ୍ରସାଦ ରଥ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.