ପିପିଲି ଗଣବଳତ୍କାର ଘଟଣା ; ହାଇକୋର୍ଟ ଯିବୁ : କ୍ରାଇମବ୍ରାଞ୍ଚ ଏଡିଜି

0

ଭୁବନେଶ୍ୱର : ପୁରୀ ଜିଲା ପିପିଲି ଗଣବଳତ୍କାର ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାଇକୋର୍ଟ ଯିବା ନେଇ ସୂଚନା ମିଳିଛି। ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ବର୍ତ୍ତମାନ ଆମେ ତଥ୍ୟ ଏବଂ ଯୁକ୍ତିକୁ ତର୍ଜମା କରୁଛୁ। ପୂର୍ବରୁ ଆମେ ସବୁ ତଥ୍ୟ ଓ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଥିଲୁ। ଜିଲା କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯିବୁ ବୋଲି ଏଡିଜି କହିଛନ୍ତି।
ସୂଚନାଯୋଗ୍ୟ ଯେ, ପିପିଲି ଗଣବଳତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ ହତ୍ୟା କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ରାଇମବ୍ରାଞ୍ଚ ଓକିଲ କାମଦେବ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ପାଇଁ ଯଥେଷ୍ଟ ପ୍ରମାଣ ଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ସୋମବାର ପ୍ରକାଶ ପାଇଥିଲା। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କୋର୍ଟଙ୍କ ଏହି ରାୟ ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କ୍ରାଇମବ୍ରାଞ୍ଚ ହାଇକୋର୍ଟ ଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୧୧ ମସିହା ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅର୍ନ୍ତଗତ ଗ୍ରାମର ଜଣେ ଯୁବତିଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ସେହି ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟିକରିଥିଲା । ରାଜ୍ୟ ମାନବାଧିକାର କମିଶନ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ୨୦୧୨ରେ ଜଷ୍ଟିସ୍ ପି. କେ ମହାନ୍ତି କମିଶନ ନିଯୁକ୍ତ କରିଥିଲେ। ପ୍ରଥମେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନକୁ ଜଟଣୀ ଅଞ୍ଚଳରୁ ଗିରଫ କରାଯାଥିଲା । ଏହା ପରେ ଆଉ ୪ ଅଭିଯୁକ୍ତ ଗୁନ ସ୍ୱାଇଁ, ପ୍ରେମାନନ୍ଦ ନାଏକ, ସୁକାନ୍ତ ପ୍ରଧାନଙ୍କୁ ଗିରଫ କରାଯାଇଥିଲା ।
ତେବେ ପୀଡିତା ଦୀର୍ଘ ୬ ମାସ ପର୍ୟ୍ୟନ୍ତ କୋମାରେ ରହିବା ପରେ ୨୦୧୨ ଜୁନ ୨୧ରେ ପ୍ରାଣ ହରାଇଥିଲା । ଅନ୍ୟ ପକ୍ଷରେ ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ଚୂଡାନ୍ତ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।

Leave A Reply