ପିପିଲି ଉପ-ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ: ଜଣେ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ସର୍ବାଧିକ ୩୦ଲକ୍ଷ ୮୦ହଜାର ଟଙ୍କା

ଭୋଟଦାନ ପାଇଁ ପୋଷ୍ଟାଲ୍‌ ବାଲାଟ୍‌ ବ୍ୟବସ୍ଥା, କଡ଼ାକଡ଼ି ଭାବେ ପାଳନ ହେବ କୋଭିଡ୍‌ ନିୟମ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ ଆଜି ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକ କରିଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ପିପିଲି ଉପନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ଘୋଷଣା ହୋଇଥିବା କାର୍ଯ୍ୟ ସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ।

  • ଗେଜେଟ୍‌ ନୋଟିଫିକେସନ୍‌ ତାରିଖ: ୨୩.୦୩.୨୦୨୧(ମଙ୍ଗଳବାର)
  • ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ: ୩୦.୦୩.୨୦୨୧(ମଙ୍ଗଳବାର)
  • ପ୍ରାର୍ଥୀପତ୍ର ଯାଞ୍ଚ ତାରିଖ: ୩୧.୦୩.୨୦୨୧(ବୁଧବାର)
  • ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ: ୦୩.୦୪.୨୦୨୧
  • ଭୋଟ ଗ୍ରହଣ ତାରିଖ: ୧୭.୦୪.୨୦୨୧(ଶନିବାର)
  • ଭୋଟ୍‌ ଗଣତି ତାରିଖ: ୦୨.୦୫.୨୦୨୧(ରବିବାର)
  • ନିର୍ବାଚନ ପ୍ରକ୍ରିୟା ତାରିଖ: ୦୪.୦୫.୨୦୨୧(ମଙ୍ଗଳବାର) ସହ

ନିର୍ବାଚନ ପ୍ରକ୍ରିୟା ଶେଷହେବା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ସମ୍ପର୍କରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଇଥିଲେ। ନିର୍ବାଚନ ଆୟୋଗଙ୍କ ଦ୍ବାରା ୧୧୦ ପିପିଲି ଉପ-ନିର୍ବାଚନ ଘୋଷଣା ପରଠାରୁ ସମ୍ପୃକ୍ତ ଜିଲାରେ ସମଗ୍ର ନିର୍ବାଚନ ମଣ୍ଡଳୀରେ, ସମସ୍ତ ପ୍ରାର୍ଥୀ ଏବଂ ସବୁ ରାଜନୈତିକ ଦଳମାନଙ୍କ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ଏହା ସ୍ପଷ୍ଟ ହୋଇଛି ଯେ ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଥିବା ଅଞ୍ଚଳରେ ପୂର୍ବରୁ ଚାଲୁ ରହିଥିବା ସମସ୍ତ କାର୍ଯ୍ୟ ପୂର୍ବପରି ଚାଲୁ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ନିର୍ବାଚରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀ ଏବଂ ସମ୍ପୃକ୍ତ ରାଜନୈତିକ ଦଳମାନେ ନିର୍ବାଚନ ସମ୍ପର୍କିତ ଖର୍ଚ୍ଚ ଏକ ରେଜିଷ୍ଟରରେ ଲିପିବଧ କରିବେ। ବିଧାନସଭା ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୩୦ଲକ୍ଷ ୮୦ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ପ୍ରାର୍ଥୀମାନେ ଦୈନନ୍ଦିନ ନିର୍ବାଚନ ଖର୍ଚ୍ଚ ରେଜିଷ୍ଟରରେ ଲେଖିବେ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଅତି କମ୍‌ରେ ତିନିଥର ଉକ୍ତ ଖର୍ଚ୍ଚ ରେଜିଷ୍ଟାର ତନଖିବେ। ଉପନିର୍ବାଚନ ସମୟରେ କୋଭିଡ୍‌-୧୯ ଉପଲକ୍ଷେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥର ଉପନିର୍ବାଚନରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମ୍ମୁଖକର୍ମୀ ହିସାବରେ କୋଭିଡ୍‌ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ମାସ୍କ, ସାନିଟାଇଜର, ସ୍କାନିଂ ଇତ୍ୟାଦିକୁ ନିର୍ବାଚନ ସମୟରେ ବାଧ୍ୟତାମୂଳକ କରାଯିବ। ଏଥର ମଧ୍ୟ ଉପନିର୍ବାଚନରେ ବରିଷ୍ଠ ଭୋଟର ୮୦ବର୍ଷରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ଭୋଟର ଏବଂ ସନ୍ଦିଗ୍ଧ କୋଭିଡ୍‌ ରୋଗୀ ବା କ୍ବାରେଣ୍ଟାଇନ୍‌ରେ ଥିବା ଭୋଟରଙ୍କ ପାଇଁ ପୋଷ୍ଟାଲ୍‌ ବ୍ୟାଲଟ୍‌ ବ୍ୟବସ୍ଥା କରାଯିବ। ପୋଷ୍ଟାଲ୍‌ ବ୍ୟାଲଟ୍‌ ପାଇଁ ପସନ୍ଦ କରିଥିବା ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିପାରିବେ ନାହିଁ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି। ନିର୍ବାଚନ ପ୍ରଚାର ନିମନ୍ତେ ୩୦ଜଣରୁ ଅଧିକ ଓ ଅନ୍ୟାନ୍ୟ ରାଜନୈତିକଦଳମାନେ ନିର୍ବାଚନ ପ୍ରଚାର ନିମନ୍ତେ ୧୫ଜଣରୁ ଅଧିକ ତାରକା ପ୍ରଚାରକ ଆଣିପାରିବେ ନାହିଁ। ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ କିମ୍ବା ସମ୍ପୃକ୍ତ ରାଜନୈତିକ ଦଳମାନେ ପୋଷ୍ଟର କିମ୍ବା ଲିଫ୍‌ଲେଟ୍‌ ଛପାଇ ନିର୍ବାଚନ ପ୍ରଚାର କଲେ ପ୍ରକାଶକ ଓ ମୁଦ୍ରକରଙ୍କ ନାମ ସମ୍ପୃକ୍ତ ପୋଷ୍ଟର କିମ୍ବା ଲିଫ୍‌ଲେଟ୍‌ରେ ଉଲ୍ଲେଖ ରହିବା ବାଧ୍ୟତାମୂଳକ ହେବ। ଏତଦ୍‌ ବ୍ୟତୀତ ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ କିମ୍ବା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳମାନେ ନିର୍ବାଚନ ପ୍ରଚାର କଲେ ଏ ବାବଦରେ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟ ଓ ଦଳର ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ପ୍ରକାଶ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ମଧୁସୂଦନ ପଣ୍ଡା, ଭାରତୀୟ ଜନତା ପାର୍ଟିର ଜଗନ୍ନାଥ ପ୍ରଧାନ ଓ ଜୟନ୍ତ କୁମାର ଜେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରମେଶଚନ୍ଦ୍ର ପାଢ଼ୀ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ନ୍ୟାସ୍‌ନାଲ୍‌ଲିଷ୍ଟ କଂଗ୍ରେସ ପାର୍ଟିର ବିକ୍ରମ ସ୍ବାଇଁ, ବିଜୁ ଜନତା ଦଳର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.