ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୬ଦିନ: ମହିଳା ଓ ଯୁବ ଭୋଟର ନେବେ ନିର୍ଣ୍ଣାୟକ ଭୂମିକା

ପିପିଲି,୨୩ା୯(ନି.ପ୍ର):ପିପିଲି ବିଧାନସଭା ଆସନ ଉପନିର୍ବାଚନକୁ ମଝିରେ ଆଉ ମାତ୍ର ୬ଦିନ ବାକି ରହିଥିବା ବେଳେ ଏବେ ଭୋଟ୍‍ ପ୍ରଚାର ସରଗରମ ହେବାରେ ଲାଗିଛି। ଘରକୁ ଘର ବୁଲି ପ୍ରାର୍ଥୀଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଭୋଟ୍‍ ଭିକ୍ଷା କରୁଛନ୍ତି। ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକଙ୍କ ସମେତ ବରିଷ୍ଠନେତା ମାନେ ଭିନ୍ନ ଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମହିଳା ସମାବେଶ ମାଧ୍ୟମରେ ଭୋଟ୍‍ ପ୍ରଚାର ଚଳାଇଛନ୍ତି। ଅସହ୍ୟ ଗୁଳୁଗୁଳି ଓ ଖରାତାତି ଠାରୁ ବଳିଯାଇଛି ନିର୍ବାଚନୀ ତାତି। ଖରା ଓ ବର୍ଷାକୁ ଖାତିର ନକରି ପ୍ରାର୍ଥୀମାନେ ଘରକୁ ଘର ବୁଲି ଝାଳବୁହା ପରିଶ୍ରମ କରୁଛନ୍ତି। ଭୋଟରଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ନେତା ମାନେ ଭୋଟରଙ୍କୁ ପୁଳା ପୁଳା ପ୍ରତିଶୃତିରେ ପୋତି ପକାଉଛନ୍ତି। ତେବେ ଏହି ଉପନିର୍ବାଚନରେ ମହିଳା ଓ ଯୁବ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ପିପିଲି ଉପନିର୍ବାଚନରେ ମୋଟ୍‍ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭା ରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନା ରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆ ରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପିପିଲି ଏନ୍‍ଏସିର ୧୬ଟି ୱାର୍ଡ, ପିପିଲି ବ୍ଲକର ୨୫ ପଞ୍ଚାୟତ ଓ ଡେଲାଙ୍ଗ ବ୍ଲକ୍‍ର ୨୧ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨୭୩ଟି ବୁଥ୍‍ ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଓ ୨ଜଣ ଅନ୍ୟାନ୍ୟ ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ୩୪୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ । ତେବେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨ଲକ୍ଷ ୨୮ ହଜାର ୭୦୯ ଜଣ ଭୋଟର ଥିବା ବେଳେ ଚଳିତ ନିର୍ବାଚନରେ ୧୨୮୯ଜଣ ନୂତନ ଭୋଟର ଯୋଡିହୋଇଛନ୍ତି। ସେହିପରି ୨୦୧୯ ନିର୍ବାଚନରେ ଏଠାରେ ୧ଲକ୍ଷ ୧୦ହଜାର ୨୫୦ ଜଣ ମହିଳା ଭୋଟର ଥିବା ବେଳେ ଏହି ନିର୍ବାଚନରେ ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା ଭୋଟର ଅଛନ୍ତି। ମହିଳା ଭୋଟ୍‍ ହାତେଇବାକୁ ସମସ୍ତେ ଏବେ ଝାଲବୁହା ପରିଶ୍ରମ କରୁଛନ୍ତି। ମହିଳା ଭୋଟରଙ୍କ ସମେତ ଯୁବଭୋଟର ମାନେ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ଏକଥାକୁ ସବୁ ରାଜନୈତିକ ଦଳ ଗୁରୁତ୍ୱ ଦେଇ ଏହି ବର୍ଗର ଭୋଟ୍‍ ହାତେଇବାକୁ ନିଜ ନିଜର ସ୍ୱତନ୍ତ୍ର ରଣନିତି ଚଳାଇଥିବା ସୂଚନା ମିଳିଛି।


ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଭୋଟ୍‍ ପ୍ରଚାର ଶେଷ ହେବାକୁ ହାତରେ ଆଉମାତ୍ର ୪ଦିନ ବାକି। ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀମାନେ ଏବେ ଦିନରାତି ଏକ କରି ଦେଇଛନ୍ତି। ରାଜଧାନୀର ଉପକଣ୍ଠରେ ଏହି ନିର୍ବାଚନମଣ୍ଡଳୀ ଥିବାରୁ ଏଠାକୁ ଦୈନିକ ବହୁ ସଂଖ୍ୟାରେ ବିଭିନ୍ନ ଦଳର ରାଜ୍ୟସ୍ତରୀୟ ନେତାମାନେ ଆସି ପ୍ରଚାରରେ ସାମିଲ ହୋଇ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‍ ପ୍ରଚାର ଚଳାଇଛନ୍ତି। ଗତ ୨୦୧୯ ନିର୍ବାଚନ ଭଳି ଏହି ଉପନିର୍ବାଚନରେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ଏକପ୍ରକାର ନିଶ୍ଚିତ । ବିଜେଡିର ଗଡ କୁହାଯାଉଥିବା ଏହି ଆସନରେ ରୁଦ୍ରପ୍ରତାପଙ୍କୁ ବିପୁଳ ଭୋଟ୍‍ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଦଳ ଉଦ୍ୟମ କରୁଛି । ତେବେ ବାଲେଶ୍ୱର ପରାଜୟର ପ୍ରତିଶୋଧ ନେବା ସହ ବିଜେଡି ଗଡକୁ ଦଖଲ କରିବାକୁ ବିଜେପି ଜୋରଦାର ଉଦ୍ୟମ ଚଳାଇଛି । ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଆଦୌ ଭୁଲି ପାରିନଥିବା କଂଗ୍ରେସ ଦଳ ଏଥର ଅସନ୍ତୁଷ୍ଟ କର୍ମୀଙ୍କୁ ଏକାଠି କରି ବିଜୟୀ ହେବା ଲକ୍ଷ୍ୟରେ ଝାଳବୁହା ପରିଶ୍ରମ ଚଳାଇଛି ।
ଗୁରୁବାର ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଯଶୁଆପୁର ପଞ୍ଚାୟତର ମାଧିପୋଟଳି, ଭଗବତୀପୁର, ଯଶୁଆପୁର, ପଦାସାହି, ସୁବଳପୁର, ସିରିଆପୁର, ଦୁମୁକିପୁର, କୁମାରେଶ୍ୱର, ପାରିପୋଟଳି, ଅଣିଜଙ୍ଗ. ଆଦି ଗ୍ରାମରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ। ପରେ ବୁଦେ୍ଧଶ୍ୱରଦେବଙ୍କ ମନ୍ଦିର ନିକଟରେ ଆୟୋଜିତ କର୍ମୀ ସମ୍ମିଳନୀରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ, ମହିଳା ବିଜେଡି ନେତ୍ରୀ ପ୍ରିତିନନ୍ଦା ରାଉତରାୟ, ଅର୍ଚ୍ଚନା ପ୍ରଧାନ, ଯୁବନେତା ଆଶିଷ କୁମାର ବରାଳ, ହରିହର ରାଉତ, ପଦ୍ମନାଭ ସାମନ୍ତରାୟ, ନିରଞ୍ଜନ ପ୍ରଧାନ, ଅର୍ଜ୍ଜୁନ ରାଉତ ପ୍ରମୁଖ ଯୋଗଦେଇ ଅଞ୍ଚଳରେ ଶାନ୍ତି ଓ ପ୍ରଗତିର ଧାରା ବଜାୟ ରଖିବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍‍ରେ ବିଜୟୀ କରାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।


ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ପାଣିଦୋଳ ଓ ସହଜପୁର ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ତାଙ୍କ ସହ ବରିଷ୍ଠ ନେତା ମୋହନ ମାଝୀ, ଓମପ୍ରକାଶ ମିଶ୍ର, ନାରୀନେତ୍ରୀ ବବିତା ପାତ୍ର, କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଆଶିଷ ସାମନ୍ତରାୟ ପ୍ରମୁଖ ଲୋକଙ୍କୁ ଭେଟି ଅଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ସବ୍ କା ସାଥ୍- ସବ୍ କା ବିକାଶ କଥାକୁ ବାସ୍ତବିକ ରୂପ ଦେବାପାଇଁ ଆଶ୍ରିତଙ୍କୁ ଜିତାଇବା ନିମନ୍ତେ ଭୋଟରଙ୍କୁ ଅନୁରୋଧ କରିଥିଲେ।
ସେହିପରି କଂଗ୍ରେସ ଦଳର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ଜିତାଇବା ପାଇଁ ଦଳର ରାଜ୍ୟସ୍ତରୀୟ ନେତାମାନେ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ବିଶ୍ୱକେସନଙ୍କ ସହ ପ୍ରଦେଶ କଂଗ୍ରେସର ବରିଷ୍ଠନେତା ତଥା ବିଧାୟକ ମହମ୍ମଦ ମୋକିମ, ରାଜ୍ୟ ମୁଖପାତ୍ର ନିଶିକାନ୍ତ ମିଶ୍ର, କଟକ ଜିଲା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର, କଟକ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ପିପିଲି ଏନଏସି କଂଗ୍ରେସ କମିଟି ସଭାପତି ସେକ ମେହେବୁବ ପ୍ରମୁଖ ଆଜି ପିପିଲି ପୌରାଞ୍ଚଳର ବିଭିନ୍ନ ଓାର୍ଡ ବୁଲି ଭୋଟ୍‍ ପ୍ରଚାର କରିଥିଲେ।
ଫଟୋ ଆଟାଚ ଅଛି।

Comments are closed.