ନୂଆ ମୋଡ ନେଲା ପିପିଲି ନିର୍ବାଚନ ରାଲି ଆକ୍ରମଣ ଘଟଣା, ବିଜେଡି କର୍ମୀ ନିଖୋଜ ନେଇ ଥାନାରେ ଏତଲା ଦେଲେ ପତ୍ନୀ

ପିପିଲି ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ବାକି ଥିବା ବେଳେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ତେବେ ଆଜି ପିପିଲି ରାଇଗିରୀପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସେମାନେ ବିଜେଡି କର୍ମୀଙ୍କ ଉପରେ ପାଲଟା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ପରେ ଜଣେ ବିଜେଡି କର୍ମୀ ନିଖୋଜ ହୋଇଯାଇଥିବା ନେଇ ସମ୍ପୃକ୍ତ କର୍ମୀଙ୍କ ପତ୍ନୀ ପିପିଲି ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ପୁଲିସ କେଉଁଭଳି ପଦକ୍ଷେପ ଗ୍ରହଣ କରୁଛି ତାହା ଜଣାପଡିନାହିଁ। ଉଭୟ ବିଜେପି ଓ ବିଜେଡି କର୍ମୀମାନଙ୍କ ପକ୍ଷରୁ ପିପିଲି ଥାନା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି।

ସୂଚନା ଅନୁଯାୟୀ, ପିପିଲି ବ୍ଲକ ସହଜପୁର୍ ପଞ୍ଚାୟତ ଅନ୍ତର୍ଗତ ରାଇଗୁରପୁର ଗ୍ରାମରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମକର୍ତ୍ତା ଚିତ୍ତରଞ୍ଜନ ନାୟକଙ୍କ ଉପରେ ଆକ୍ରମଣ ହୋଇଛି। ଜଣେ ବିଜେଡ଼ି ସମର୍ଥକ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଚିତ୍ତରଞ୍ଜନଙ୍କୁ ମାଡ ମରାଯିବା ସହ ତାଙ୍କ ସ୍କୁଟର ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ପ୍ରବଳ ଉତେଜନା ପ୍ରକାଶ ପାଇଥିବା ବେଳେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ୍ କରାଯାଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଜେପି ନେତା ଓମ୍ ପ୍ରକାଶ ମିଶ୍ର, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାଶ ପ୍ରମୁଖ ଘଟଣା ସ୍ଥଳରେ ଧାରଣାରେ ବସି ରହିଥିଲେ।

Comments are closed.