ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଆଜିଠୁ ଜମିବ ନିର୍ବାଚନୀ ପ୍ରଚାର

ପିପିଲି:ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନର ଉପନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ୩୧ ତାରିଖରେ ନାମାଙ୍କନପତ୍ର ଗୁଡିକର ଯାଞ୍ଚ ଓ ୩ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ୍ପ୍ରଚାର ଚାଲିଥିବା ବେଳେ ବୁଧବାର ବିଜେଡି ପକ୍ଷରୁ ପିପିଲି ବ୍ଲକର ୨୪ନଂ ଜୋନ୍ରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।
୨୪ନଂ ଜୋନ୍ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ସାନସରଘାଇଲୋ ଗ୍ରାମରୁ ସକାଳ ସାଢେ ୭ଟାରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ନିଜର ଭୋଟ୍ପ୍ରଚାର ଆରମ୍ଭ କରିବେ ଓ ଏଥିରେ ଦଳର ବରିଷ୍ଠନେତା, ମନ୍ତ୍ରୀ ଓ ବିଧାୟକମାନେ ସାମିଲ ରହିବେ ବୋଲି ସୂଚନା ମିଳିଛି । ତେଇସିପୁର, ବୀରପୁରୁଷୋତ୍ତମପୁର, ଯଶୁଆପୁର, ସରସ୍ୱତୀପୁର, ରଥପୁରୁଷୋତ୍ତମପୁର, ରୂପଦେଇପୁର ଆଦି ୬ଟି ପଞ୍ଚାୟତରେ ରୁଦ୍ର ଆସନ୍ତାକାଲି ଭୋଟ୍ ପ୍ରଚାର କରିବେ । ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇନାହିଁ । ତେବେ, ଆମେ ଆସନ୍ତା କାଲି ଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରୁଛୁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେବା ସହ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବାକୁ ରୁଦ୍ର ପ୍ରୟାସ କରିବେ ବୋଲି କହିଛନ୍ତି ।
ସେହିପରି କଂଗ୍ରେସ ପକ୍ଷରୁ ଆସନ୍ତା କାଲି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯିବ ବୋଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ସୂଚନା ଦେଇଛନ୍ତି । ବୁଧବାର ଉଭୟ ପିପିଲି ଓ ଡେଲାଙ୍ଗ ବ୍ଲକରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ ଓ ଅପରାହ୍ନରେ ଡେଲାଙ୍ଗ ବ୍ଲକର ମୋଟରୀ ପଞ୍ଚାୟତରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରାଯିବ ଏବଂ ଗୁରୁବାର ଠାରୁ ପ୍ରଚାର ଜୋରଦାର କରାଯିବ ବୋଲି ଅଜିତ ସୂଚନା ଦେଇଛନ୍ତି । ବିଜେପି ପକ୍ଷରୁ ବହୁଦିନ ଧରି ଆଶ୍ରୀତ ଘରକୁ ଘର ବୁଲି ଭୋଟ ପ୍ରଚାର ଚଳାଇବା ସହ ଦୈନିକ ବିଭିନ୍ନ ପଞ୍ଚାୟତ ଓ ୱାର୍ଡରେ କର୍ମୀ ସମ୍ମିଳନୀ ଚଳାଇଛନ୍ତି । ନାମାଙ୍କନପତ୍ର ଦାଖଲ କରିବା ପର ଠାରୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଧରି ଭୋଟ୍ ପ୍ରଚାର ଚଳାଇଥିବା ବେଳେ ଖୁବ୍ ଶିଘ୍ର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଓ ରାଲି କରାଯିବ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ବିଜେଡି ଲୋକଙ୍କ ସହ ନଥିବାରୁ ଶେଷ ମୁହୁର୍ତ୍ତରେ ବୁଧବାର ଠାରୁ ପ୍ରଚାର ମଇଦାନକୁ ଓହ୍ଲାଉଛି । କିନ୍ତୁ ପ୍ରତ୍ୟେକ ପ୍ରାକୃତିକ ଦୁର୍ବିପାକ ଓ କରୋନା ଭଳି ମହାମାରୀ ସମୟରେ ଆମେ ଲୋକଙ୍କ ସହ ଥିଲୁ ଓ ଅଛୁ ବୋଲି ଶ୍ରୀସାହୁ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ସିପିଆଇ(ଏମ୍ଏଲ୍) ଲିବରେସନ୍ ପ୍ରାର୍ଥୀ ଅଶୋକ ପ୍ରଧାନ ଆସନ୍ତା ୪ ତାରିଖ ଠାରୁ ନିଜର ଭୋଟ୍ ପ୍ରଚାର ଆରମ୍ଭ କରିବେ ଓ ୧ ତାରିଖ ଦିନ ଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।