ପିପିଲିରେ କଂଗ୍ରେସର ପ୍ରଚାର, ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ ମେଡିକାଲ୍‍ରେ ଭର୍ତ୍ତି

ପିପିଲି:ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ରକ୍ତଚାପ ଓ ସୁଗାର ଲେବୁଲ ବଢିଯାଇଥିବା ସୂଚନା ମିଳିଛି। ବୁଧବାର ସେ ନିର୍ବାଚନ ପ୍ରଚାର ପାଇଁ ବାହାରୁଥିବା ସମୟରେ ହଠାତ୍‍ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ମେଡିକାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ରାତିରେ ସେ ଭୁବନେଶ୍ୱରରେ ପୁନର୍ବାର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଜର ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ବିଶ୍ରାମ ନେଇଥିଲେ। ତେବେ ପୁନର୍ବାର ଅସୁସ୍ଥ ହୋଇ ପଡିବାରୁ ଆଜି ସକାଳୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ସଂପର୍କରେ ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁପ୍ରକାଶ ପରିଡା ସୂଚନା ଦେଇଛନ୍ତି।

ଆଜି ପିପିଲି ବ୍ଲକର ୪ଟି ପଞ୍ଚାୟତରେ ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ଦଳୀୟ ନେତା ଓ କର୍ମୀମାନେ ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରିଥିଲେ। ଜଟଣୀ ବିଧାୟକ ସୁରେଶ ରାଉତରାୟ, ବରିଷ୍ଠନେତା ଗଣେଶ୍ୱର ବେହେରା, ଅକ୍ଷୟ ଆଚାର୍ଯ୍ୟ, ପିପିଲି ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡା ପ୍ରମୁଖ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ରଥପୁରୁଷୋତ୍ତମପୁର, ଚନ୍ଦ୍ରାଦେଇପୁର, ସରସ୍ୱତୀପୁର ଓ ରୂପଦେଇପୁର ଆଦି ପଞ୍ଚାୟତରେ ଘରକୁ ଘର ବୁଲି ଶ୍ରୀମଙ୍ଗରାଜଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। କଂଗ୍ରେସ ଦଳର ନୀତି ଓ ଆଦର୍ଶ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ କଂଗ୍ରେସ ଦଳ ସବୁବେଳେ ଲୋକଙ୍କ ସାଥୀରେ ଥିଲା, ଅଛି ଓ ରହିବ ବୋଲି ନେତାମାନେ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପଥପ୍ରାନ୍ତ ସଭାରେ କହିଥିଲେ। ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତଙ୍କୁ ଭୋଟ୍‍ ଦେବାକୁ ଲୋକଙ୍କୁ କହିଥିଲେ।

Comments are closed.