ଆଶ୍ରୀତଙ୍କ ପାଇଁ ଭୋଟ୍‍ ପ୍ରଚାର କଲେ ବରିଷ୍ଠ ନେତା ଓ ଅଭିନେତା

ପିପିଲି :ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ରବିବାର ପିପିଲି ବ୍ଲକର କୁଳଶିଖରପାଟଣା, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର ଓ ଦୁର୍ଗାଦାଶପୁର ପଞ୍ଚାୟତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଓ ସାଂସଦ ଜୁଏଲ ଓରାମ ଗାଁକୁ ଗାଁ ବୁଲି ଜୋରଦାର ଭୋଟ୍‍ ପ୍ରଚାର କରିଥିଲେ। ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଏକ ବାଇକ୍‍ ଶୋଭାଯାତ୍ରାରେ ଉଭୟ ନେତାଙ୍କ ସହ ଭୋଟ୍‍ ପ୍ରଚାରରେ ସାମିଲ ଥିଲେ । ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ଅଞ୍ଚଳର ଦୁର୍ନିତୀ, ଗୁଣ୍ଡାରାଜ ଓ ରାଜ୍ୟ ସରକାରଙ୍କ ସ୍ଥାଣୁତା ସଂପର୍କରେ ଜନସାଧାରଣଙ୍କୁ କହିବା ସହ କେନ୍ଦ୍ର ବିଜେପି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଅଞ୍ଚଳରେ ଶାନ୍ତି ଓ ପ୍ରଗତି ପାଇଁ ଦଳୀୟ ପ୍ରାର୍ଥୀ ଆଶ୍ରୀତଙ୍କୁ ଭୋଟ୍‍ ଦେଇ ଜୟଯୁକ୍ତ କରିବା ପାଇଁ ଉଭୟେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

 

ସେହିପରି ବିଜେପିର ବରିଷ୍ଠ ନେତା କେ.ଭି ସିଂହଦେଓ ପିପିଲି ବ୍ଲକର ପମସରା ପଞ୍ଚାୟତରେ ପଦଯାତ୍ରାରେ ଘରକୁ ଘର ବୁଲି ଆଶ୍ରୀତଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାଣିଦୋଳ ପଞ୍ଚାୟତ ଓ ଭାରତୀପୁର ପଞ୍ଚାୟତରେ ଭୋଟ୍‍ ପ୍ରଚାର କରିଥିଲେ। କୌଶଲ୍ୟାଗଙ୍ଗ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶତାଧିକ ବିଜେପି କର୍ମକର୍ତ୍ତା ବାଇକ୍‍ ଶୋଭାଯାତ୍ରାରେ ଉଭୟ ନେତାଙ୍କ ସହ ଭୋଟ୍‍ ପ୍ରଚାରରେ ସାମିଲ ଥିଲେ । ବିଜେପି ନେତା ତଥା ଅଭିନେତା ଶ୍ରୀତମ ଦାସ ତେଇସିପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବାଇକ୍‍ ରାଲି ଓ ପଦଯାତ୍ରାରେ ଯାଇ ଆଶ୍ରୀତଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ।

Comments are closed.