ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା, ଏପ୍ରିଲ ୨୬ରେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ଭୋଟ ଗ୍ରହଣ

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ମେ’ ୧୩ରେ ପିପିଲି ଉପନିର୍ବାଚନ ହେବ ଏବଂ ଏହିଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୧୦-ପିପିଲି ବିଧାନସଭା ଆସନର ଉପନିର୍ବାଚନ ପାଇଁ ଏପ୍ରିଲ୍‌ ୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ୍‌ ୨୬(ସୋମବାର)ରେ ନାମାଙ୍କନପତ୍ର ଦାଖଲ କରାଯିବାକୁ ଥିବାବେଳେ ଏପ୍ରିଲ୍‌ ୨୭(ମଙ୍ଗଳବାର) ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଏପ୍ରିଲ୍‌ ୨୯(ଗୁରୁବାର)ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି।  ମେ’ ୧୩(ଗୁରୁବାର)ରେ ଭୋଟ ଗ୍ରହଣ କରାଯିବ। ଏହାପରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ ଏବଂ ମେ’ ୧୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବୋଲି ସୂଚନା ଦିଆଯାଇଛି। ତେବେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପୁରୀ ଏଡିଏମ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କରିଥିଲେ। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ରାଜଧାନୀର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିଛି । ଅଜିତଙ୍କ ସ୍ତ୍ରୀ ବନ୍ଦନା କିମ୍ବା ପରିବାର ସଦସ୍ୟ ଆଉ କାହାକୁ କଂଗ୍ରେସ ଦଳ ଟିକଟ ଦେବ ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ କଂଗ୍ରେସ ଦଳ ପିପିଲି ଉପନିର୍ବାଚନ ପାଇଁ ଅଜିତ୍‌ଙ୍କ ପରିବାର ବ୍ୟତୀତ ଆଉ କାହା ଉପରେ ନିର୍ଭର କରି ଟିକଟ ଦେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପତାପ ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ବିଧାୟପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି।

ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଜି ଅର୍ଥାତ୍‌ ଏପ୍ରିଲ୍ ୧୭ରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ ରଖାଯାଇଛି। ନିୟମାନୁଯାୟୀ, ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟ ଗ୍ରହଣ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ଭୋଟଗ୍ରହଣ ସ୍ଥଗିତ ରଖିବେ। ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବେ। ଅନ୍ୟପକ୍ଷରେ ଜନପ୍ରତିନିଧି ଆଇନ-୧୯୫୨ର ଉପଧାରା-୧ ଅନୁଯାୟୀ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ୭ ଦିନ ମଧ୍ୟରେ ସମ୍ପୃକ୍ତ ଦଳର ଆଉ ଜଣେ ପ୍ରାର୍ଥୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନୋଟିସ୍ ଜାରି କରିବେ। ପୂର୍ବ ପ୍ରାର୍ଥୀଙ୍କ କ୍ଷେତ୍ରରେ ଯେଉଁ ସବୁ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯାଇଥିବା, ନୂଆ ପ୍ରାର୍ଥୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଓ ପ୍ରକ୍ରିୟା ଗ୍ରହଣ କରାଯିବ। ତେବେ ଏହି ବ୍ୟବସ୍ଥା ଅନୁଯାୟୀ ପିପିଲି ଉପନିର୍ବାଚନ ଆସନ୍ତା ମେ’ ୧୩ରେ କରାଯିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜଣାପଡ଼ିଛି।

Comments are closed.