ପିପିଲି ଉପନିର୍ବାଚନ ; ଅପ୍ରେଲ ୧୭ରେ ମତଦାନ, ମେ ୨ରେ ଭୋଟଗଣତି

ସକାଳ ୭ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ

ପିପିଲି : ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଆସନ୍ତା ଅପ୍ରେଲ ୧୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏସଂପର୍କରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।  ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଚଳିତମାସ ୩୦ ତାରିଖ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅପ୍ରେଲ ୩ ତାରିଖ ଧାର୍ଯ୍ୟ କରାଯାଇଛି । ଅପ୍ରେଲ ୧୭ ତାରିଖ ଶନିବାର ଦିନ ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ କରାଯିବ ଓ ମଇ ୨ ତାରିଖରେ ଭୋଟ୍‍ ଗଣତି କରାଯିବ । ସଂପୂର୍ଣ୍ଣ କୋଭିଡ୍‍ ଗାଇଡ୍‍ଲାଇନ ଅନୁଯାଇ ଏହି ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ ।

ପିପିଲି ଏନ୍‍ଏସିର ୧୬ଟି ୱାର୍ଡ, ପିପିଲି ବ୍ଲକର ୨୫ ପଞ୍ଚାୟତ ଓ ଡେଲାଙ୍ଗ ବ୍ଲକ୍‍ର ୨୧ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨୭୩ଟି ବୁଥ୍‍ ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସିରେ ୧୫୪ଟି ବୁଥ୍‍ ରହିଥିବା ବେଳେ ଅଧିକ ୪୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ୍‍ ରହିଥିବା ବେଳେ ଅଧିକ ୩୦ଟି ଅତିରିକ୍ତ ବୁଥ୍‍ କରାଯାଇଛି । ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୫୬୧ଜଣ ମହିଳା ଭୋଟର ଓ ୨ଜଣ ଟି.ଜି ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୫୮୩ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । କୌଣସି ରାଜନୈତିକ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇନଥିବା ବେଳେ କେଉଁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରୁଛି ସେନେଇ ଭୋଟରମାନଙ୍କ ମଧ୍ୟରେ ସରଗରମ ଆଲୋଚନା ଚାଲିଛି । ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ଏବେ ଚିନ୍ତାରେ ଅଛନ୍ତି । ତେବେ ସ୍ୱର୍ଗତ ମହାରଥୀଙ୍କ ପରେ ବିଜେଡି ଏଠାରେ କାହାକୁ ଦଳୀୟ ପ୍ରାର୍ଥୀ କରୁଛି ତାହା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର । ସ୍ୱର୍ଗତ ମହାରଥୀଙ୍କ ପରିବାରରୁ ହିଁ ଜଣକୁ ଦଳୀୟ ଟିକେଟ୍‍ ମିଳିବା ନିଶ୍ଚିତ ହୋଇଥିବା ବେଳେ ଆସନ୍ତା ୨୫ ତାରିଖ ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ମହାରଥୀଙ୍କ ଅଧ୍ୟାପିକା ପତ୍ନୀ ଡ଼ଃ ପ୍ରତିଭା ମହାରଥୀ ଓ ସୁପୁତ୍ର ରୁଦ୍ରପ୍ରତାପଙ୍କ ମଧ୍ୟରୁ ରୁଦ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ପରିବର୍ତ୍ତନର ନାରା ଦେଇ ୭୨,୭୩୧ ଭୋଟ ପାଇଥିବା ବେଳେ ମହାରଥୀଙ୍କ ଠାରୁ ୧୫୭୮୭ ଖଣ୍ଡ ଭୋଟ୍‍ ବ୍ୟବଧାନରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହି ଉପନିର୍ବାଚନରେ ବିଜେପି ଦଳରୁ ଆଶ୍ରୀତ ପଟ୍ଟନାୟକ ପ୍ରାର୍ଥୀ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ କଂଗ୍ରେସ ଦଳରୁ ଅଜିତ ମଙ୍ଗରାଜ ଓ ନିଶିକାନ୍ତ ମିଶ୍ରଙ୍କ ପ୍ରାର୍ଥିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଏଠାରେ ସୂଚନା ଥାଉ କି, ବିଜେଡିର ଟାଣୁଆ ନେତା ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀ ଙ୍କର ଗତ ଅକ୍ଟୋବର ୪ତାରିଖରେ ପରଲୋକ ଘଟିଥିଲା । ଏହି ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୮୫, ୧୯୯୦ ଓ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ଭାବେ ବିଜୟୀ ହୋଇ ନିଜକୁ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବେ ପ୍ରମାଣିତ କରିଥିଲେ ପ୍ରଦୀପ ମହାରଥୀ । ମହାରଥୀଙ୍କ ଦୁର୍ଗ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ବିଜେଡି ସୁପ୍ରିମୋ କାହାକୁ ଦଳୀୟ ପ୍ରାର୍ଥୀ କରିବେ ତାହାକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ତେବେ ବିଜେଡିର ଗଡ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ପୁନର୍ବାର ବିପୁଳ ଭୋଟ୍‍ ବ୍ୟବଧାନରେ ବିଜୟ ହାସଲ କରିବା ପାଇଁ ବିଜେଡି ଜୋରଦାର ପ୍ରୟାସ ଚଳାଇଛି । ନିର୍ବାଚନମଣ୍ଡଳୀରେ ଏବେ ୪୫ରୁ ଉର୍ଦ୍ଧ ବିଜେଡି ନେତା, ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ମହିଳା ନେତ୍ରୀ, ଯୁବ ଓ ଛାତ୍ର ନେତାମାନେ ବିଜେଡି ସଂଗଠନକୁ ଅଧିକ ମଜବୁତ୍‍ କରିବାକୁ ପ୍ରୟାସ ଚଳାଇଛନ୍ତି । ଇତିମଧ୍ୟରେ ବିଜେଡି ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ୱାର୍ଡ ସ୍ତରୀୟ କମିଟି ଗଠନ କରାଯାଇଛି । ନିଜ ନିଜ ପଞ୍ଚାୟତ ଓ ୱାର୍ଡରେ ରହି ସଂଗଠନକୁ ଅଧିକ ମଜବୁତ୍‍ କରିବାକୁ ସ୍ଥାନୀୟ ନେତାଙ୍କୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ନିର୍ବାଚନମଣ୍ଡଳୀର ୪୬ଟି ପଞ୍ଚାୟତ ଓ ପିପିଲି ଏନ୍‍ଏସିର ୧୬ଟି ୱାର୍ଡର ସମସ୍ତ ବିଜେଡି ନେତା, ବୁଥ୍‍ସ୍ତରୀୟ କମିଟି ପ୍ରତିନିଧିଙ୍କ ସମେତ ଅସନ୍ତୁଷ୍ଟ ବିଜେଡି ନେତା, କର୍ମୀ ଓ ସମର୍ଥକଙ୍କ ଏକ ଲମ୍ବାତାଲିକା ପ୍ରସ୍ତୁତ କରାଯାଇ ସୁପ୍ରିମୋଙ୍କ ପାଖକୁ ପଠାଯାଇଛି । ସମସ୍ତ ଅସନ୍ତୁଷ୍ଟଙ୍କୁ ଦଳକୁ ଫେରାଇ ଆଣିବା ସହ ଦଳର ଭୋଟ୍‍କୁ ବୃଦ୍ଧି କରିବା ଉପରେ ଏଠାରେ ଡେରା ପକାଇଥିବା ବିଜେଡିର ହାଇପ୍ରୋଫାଇଲ ନେତାମାନେ ପ୍ରୟାସ ଚଳାଇଛନ୍ତି । ଆସନ୍ତା ୧ ତାରିଖ ପରଠାରୁ ଏଠାରେ ବିଜେଡିର ୨ଶହରୁ ଉର୍ଦ୍ଧ୍ବ ବରିଷ୍ଠ ନେତା, ନେତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ, ବିଭିନ୍ନ ବ୍ଳକର ଅଧ୍ୟକ୍ଷମାନେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

Comments are closed.