ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ବିଧାୟକ

ପିପିଲି:ପିପିଲି ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୁରୁବାର ନୂତନ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଅପରାହ୍ନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ୨ଶହ ଜଣ ହିତାଧିକାରୀଙ୍କୁ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ବ୍ରହ୍ମଗିରି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୀ ଜିଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ପିପିଲି ବ୍ଲକରେ ଏହି କାର୍ଡ ବଣ୍ଟନ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। ପରେ ଶ୍ରୀମହାରଥୀ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଡର୍ ମାଧ୍ୟମରେ ପିପିଲି ବ୍ଳକର ୨୯ହଜାରରୁ ଉର୍ଦ୍ଧ ପରିବାରର ୧ ଲକ୍ଷ ୬ହଜାରରୁ ଉର୍ଦ୍ଧର୍ ଲୋକେ ଉପକୃତ ହେବେ ବୋଲି ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ ସର୍ବଦା କାମରେ ବିଶ୍ୱାସ କରନ୍ତି ବୋଲି ରୁଦ୍ରପ୍ରତାପ କହିବା ସହ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।

 

ଏହି ଅବସରରେ ସେଠାରେ ଉପସ୍ଥିତ ୨ଶହ ଜଣ ହିତାଧିକାରୀଙ୍କୁ ଶ୍ରୀମହାରଥୀ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଆସନ୍ତା କାଲି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତ ଓ ଏନ୍‍ଏସି ଅଞ୍ଚଳର ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ, ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଜିଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାଶ, ସୁମିତ୍ରା ପ୍ରଧାନ, ରାଧାମଣୀ ପ୍ରଧାନ, ସାଂସଦ ପ୍ରତିନିଧି ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସାରଦା ପ୍ରଧାନ ପରିଚାଳନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.