ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋମାରେ, ଡାକ୍ତର ନିଯୁକ୍ତି ଦାବିରେ ଦ୍ୱିତୀୟ ଦିନରେ ଆମରଣ ଅନଶନ

ପିପିଲି :ପିପିଲି ଅଞ୍ଚଳର ମୁଖ୍ୟ ଚିକିତ୍ସାଳୟ କୁହାଯାଉଥିବା ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଜଣେ ଡାକ୍ତରଙ୍କୁ ନେଇ ରୋଗୀସେବା ଚାଲୁଥିବା ବେଳେ ଏଠାରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ବିଭିନ୍ନ ସଂଗଠନର ମୁଖ୍ୟଙ୍କ ଦ୍ୱାରା ଚାଲିଥିବା ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ପ୍ରଶାସନ ସହ ଅନଶନକାରୀଙ୍କ ମଧ୍ୟରେ ୫ଥର ଆଲୋଚନା ହୋଇଥିଲେ ମଧ୍ୟ ଡାକ୍ତର ନିଯୁକ୍ତି ସମସ୍ୟାର ସମାଧାନ ହୋଇପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଡାକ୍ତର ନିଯୁକ୍ତି ନହେବା ଯାଏଁ ଅନଶନରୁ ଓହରିବୁ ନାହିଁ ବୋଲି ଅନଶନକାରୀମାନେ ପ୍ରଶାସନକୁ ରୋକ୍‌ଠୋକ ଭାବେ ଶୁଣାଇ ଦେଇଛନ୍ତି।

ପିପିଲି ଅଞ୍ଚଳର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଜଣାଶୁଣା ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପିପିଲି ଏନ୍‍ଏସି, ପିପିଲି ବ୍ଲକର୧୪ରୁ ଉର୍ଦ୍ଧ ପଞ୍ଚାୟତବାସୀଙ୍କ ସମେତ ନିମାପଡା ବ୍ଲକ, ବାଲିପାଟଣା ବ୍ଲକର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳ ଓ ଡେଲାଙ୍ଗ ବ୍ଲକର କେତେକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଦୈନିକ ଏହି ଡାକ୍ତରଖାନାକୁ ୩ଶହରୁ ଉର୍ଦ୍ଧ ରୋଗୀ ଆସୁଥିବା ବେଳେ ଗତ କିଛି ମାସ ହେବ ଡାକ୍ତର ଅଭାବ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହେଉଛି। ଏଠାରେ ମେଡିସିନ, ସର୍ଜରୀ, ଗାଇନିକ୍‍ ଓ ପେଡିଆଟ୍ରିକ୍‍ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଥିବା ବେଳେ ଏଠାକୁ ଡେପୁଟେସନରେ ଆସିଥିବା ଜଣେ ଇଏନ୍‍ଟି ବିଭାଗୀୟ ମହିଳା ଡାକ୍ତର, ଜଣେ ଆୟୁଷ ଡାକ୍ତର ଓ କୋଭିଡ୍‍ ଡ୍ୟୁଟିରେ ଆସିଥିବା ଅନ୍ୟଜଣେ ଡାକ୍ତରଙ୍କ ଶରୀର ଅସୁସ୍ଥତା ଯୋଗୁଁ ଏବେ ସେମାନେ ଚିକିତ୍ସାଧିନ ଥିବା କାରଣରୁ ଡାକ୍ତରଖାନାରେ ଅନୁପସ୍ଥିତ ଥିବା ସୂଚନା ମିଳିଛି। ଫଳରେ ମେଡିକାଲ ଇନଚାର୍ଜ ଦାୟିତ୍ୱରେ ଥିବା ଜଣେ ଏମ୍‍ବିବିଏସ୍‍ ଡାକ୍ତର ଅବିନାଶ ରଥଙ୍କ ଦ୍ୱାରା ଦୀର୍ଘଦିନ ଧରି ଏଠାରେ ରୋଗୀସେବା ଚାଲୁଥିବା ସୂଚନା ମିଳିଛି।କରୋନା ମହାମାରୀ ଭଳି ଘଡିସନ୍ଧୀ ମୁହୁର୍ତ୍ତରେ ଏହି ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହେବାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଡାକ୍ତରଙ୍କ ଦ୍ୱାରା ଏଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା କଷ୍ଟକର ହୋଇ ପଡିଛି। ଅନେକ ସମୟରେ ଓପିଡି ଓ ଜରୁରୀକାଳୀନ ଚିକିତ୍ସା ପାଇଁ ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ନିକଟବର୍ତ୍ତି ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦିଆଯାଉଛି। ଗାଇନିକ୍‍ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଗର୍ଭବତୀ ମହିଳାମାନେ ଏଠାରେ ଜରୁରୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବାଧ୍ୟ ହୋଇ ସେମାନେ ପ୍ରାଇଭେଟ୍‍ କ୍ଲିନିକ କିମ୍ବା ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁଁ ଗରୀବ ଲୋକେ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଥିବ ଅଭିଯୋଗ ହୋଇଛି।

ତୁରନ୍ତ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଜଣ ନୂଆ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା, ଏଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା, ନିରାମୟ ଯୋଜନାରେ ରୋଗୀଙ୍କୁ ୨୪ ଘଣ୍ଟିଆ ମାଗଣା ଔଷଧ ବିତରଣ କରାଯିବା, ଖାଲି ପଡିଥିବା କର୍ମଚାରୀ ପଦବୀ ପୂରଣ କରାଯିବା ଓ ଏଠାରେ ଉପଲବ୍ଧ ସମସ୍ତ ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବା ଦାବିରେ ସାମ୍ବାଦିକ ରାକେଶ ରୋଶନ ମହାନ୍ତି, ସମାଜସେବୀ ଅନୁପ ପରିଡା, ପ୍ରଣତୀରାଣୀ ପ୍ରଧାନ, ତିଳୋତମା ବାରିକ, ପ୍ରବୀର ହାଲଦାର, ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ବିଶାଲ ବାରିକ, ଶଶୀ ରାୟ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ମେଡିକାଲ ସମ୍ମୁଖରେ ଗତ କାଲି ସକାଳ ୮ଟାରୁ ଆମରଣ ଅନଶନରେ ବସିଛନ୍ତି। ମଙ୍ଗଳପୁର ମେଡିକାଲର ଜଣେ ଡାକ୍ତରଙ୍କୁ ଏହି ଡାକ୍ତରଖାନାରେ ୱାର୍କ ମ୍ୟାନେଜମେଣ୍ଟ ବେସିସ୍‍ରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଗତକାଲି ଅପରାହ୍ନରେ ପୁରୀ ସିଡିଏମ୍‍ଓ ନିର୍ଦ୍ଦେଶ ଦେଇଥିଲେ। ତେବେ ଆବଶ୍ୟକ ସଂଖ୍ୟକ ଡାକ୍ତର ଯୋଗ ନଦେବା ଯାଏଁ ଅନଶନରୁ ଓହରିବୁ ନାହିଁ ବୋଲି ଅନଶନକାରୀମାନେ ଜିଦ୍‍ ଧରି ଅନଶନ ଚଳାଇଥିଲେ।

ଆଜି ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ, କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ବଜାର ବ୍ୟବସାୟୀ ସଂଘ ସଭାପତି ଅଶୋକ ଅଗ୍ରୱାଲ, ସମାଜବାଦୀ ପାର୍ଟିର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ଅନଶନକାରୀଙ୍କୁ ସମର୍ଥନ ଜଣାଇ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଥିଲେ। ଅପରାହ୍ନରେ ପୁରୀ ସିଡିଏମ୍‍ଓ ଡାକ୍ତର ସୁଜାତା ମିଶ୍ର, ପିପିଲି ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ଜେ.ବି ପଟ୍ଟନାୟକ, ପିପିଲି ମେଡିକାଲ ଅଫିସର ଡାକ୍ତର ଅବିନାଶ ରଥ ପ୍ରମୁଖ ଅନଶନ ସ୍ଥଳରେ ପହଞ୍ଚି ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁଙ୍କ ଉପସ୍ଥିତିରେ ଅନଶନକାରୀଙ୍କ ଦୁଇ ପ୍ରତିନିଧି ସାମ୍ବାଦିକ ରାକେଶ ରୋଶନ ମହାନ୍ତି ଏବଂ ଅନୁପ ପରିଡାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆନଯିବା ଯାଏଁ ଅନଶନ ଚାଲୁରହିବ ବୋଲି ଅନଶନକାରୀଙ୍କ ଦୁଇ ପ୍ରତିନିଧି କହିଥିଲେ। ରିପୋର୍ଟ ଲେଖାହେବା ଯାଏଁ ଅନଶନ ଜାରି ରହିଥିବା ସୂଚନା ମିଳିଛି।

Comments are closed.