ନଦୀବନ୍ଧରେ ପଡିଥିବା ଘଳିଆକୁ ଅନୁଧ୍ୟାନ କଲେ ବିଜେପି ନେତା

ପିପିଲି : ଭାର୍ଗବୀ ନଦୀବନ୍ଧର ବିଭିନ୍ନ ସ୍ଥାନରେ ସୃଷ୍ଟିହୋଇଥିବା ଏକାଧିକ ଘଳିଆକୁ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଆଜି ଅନୁଧ୍ୟାନ କରିବା ସହ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ସଂପର୍କରେ ଜିଲାପାଳ ବଲୱନ୍ତ ସିଂଙ୍କ ସହ ଆଲୋଚନା କରିଛନ୍ତି। ଲୋକମାନଙ୍କର ଧନ ଜୀବନର ସୁରକ୍ଷା ସହ ନଦୀବନ୍ଧର ଘଳିଆ ମରାମତି ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ। ଭାର୍ଗବୀ ନଦୀ ବନ୍ଧର ସରସ୍ୱତୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଉପର, ରଥପୁରୁଷୋତ୍ତମପୁର ପଞ୍ଚାୟତର ବରହମପୁର, ଅଲାରପୁରର ହରଦୁର୍ଗାସାହି, ଦୁର୍ଗାପୁର, ରଥପୁରୁଷୋତ୍ତମପୁର ଶ୍ମଶାନ ଆଦି ସ୍ଥାନରେ ସୃଷ୍ଟି ହୋଇଥିବା ଘଳିଆ ଗୁଡିକୁ ଶ୍ରୀପଟ୍ଟନାୟକ ବୁଲି ଅନୁଧ୍ୟାନ କରିବା ସହ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ସଂପର୍କରେ ଜଳସେଚନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରିଥିଲେ।