ଜଗନ୍ନାଥ ସଡକରେ ବାଟଭୋଗ ସଂପନ୍ନ

0

ପିପିଲି : ପବିତ୍ର ହରିଶୟନ ଏକାଦଶୀ ତିଥି ଅବସରରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ତଥା ଜଗନ୍ନାଥ ସଡକର ବିଭିନ୍ନ ଗ୍ରାମ୍ୟଛକ ଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରାଯାଇଛି।
ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ମାଆ ସୁଭଦ୍ରା ସୁନାବେଶରେ ସଜ୍ଜିତ ହୋଇ ପୁରୀ ବଡଦାଣ୍ଡରେ ରଥ ଉପରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ସେହି ଦର୍ଶନରୁ ବଞ୍ଚିତ ଭକ୍ତ ମାନେ ପୁରୁଣା ଜଗନ୍ନାଥ ସଡକକୁ ବଡଦାଣ୍ଡ ମନେକରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରିଛନ୍ତି । ଏହି ପରମ୍ପରା କେଉଁ ପୁରାତନ କାଳରୁ ରହିଆସିଛି। ସେହି ଅନୁଯାଇ ପ୍ରତିବର୍ଷ ଭଳି ସୋମବାର ଅପରାହ୍ନରେ ଜଗନ୍ନାଥ ସଡକର ଉତ୍ତରାଛକ, କୌଶଲ୍ୟାଗଙ୍ଗ, ଗୁଡିଆପୋଖରୀ, ଗୋବିନ୍ଦପୁର ଗ୍ରାମ୍ୟଛକ, ସିଉଳା ଛକ, ଜଇସପାଟଣା ଛକ, ପିପିଲି, ଖଣ୍ଡିଆଗିରୀ ଛକ, ଦାଣ୍ଡମୁକୁନ୍ଦପୁର, ନିର୍ମଳା ସମେତ ବିଭିନ୍ନ ଗ୍ରାମ୍ୟଛକ ଠାରେ ଗ୍ରାମବାସୀ ମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଟଭୋଗ ଅର୍ପଣ କରିଥିଲେ। ବିଶେଷ କରି ଚାଷୀ ପରିବାର ଲୋକେ ବିଭିନ୍ନ ଫଳ ଯଥା କଦଳୀ, ସପୁରୀ, ଅମୃତଭଣ୍ଡା, ପଣସ, ନଡିଆ, ସେଓ, ନାସପାତି, ପିଜୁଳି, କାକୁଡି, ଚୁଡାଘଷା ଆଦିକୁ ବେତରେ ପ୍ରସ୍ତୁତ ଧାନମପା ଗଉଣୀ(ପାତ୍ର)ରେ ରଖି ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଏହି ପୂଜା ଦ୍ୱାରା ଶ୍ରଦ୍ଧାଳୁମାନେ ପୂଣ୍ୟ ଅର୍ଜନ କରୁଥିବା ବେଳେ କୃଷି ଓ କୃଷକର ଉନ୍ନତି ସାଧିତ ହେଉଥିବା ସଂପର୍କରେ ଖଣ୍ଡିଆଗିରି ଗ୍ରାମର ଅଗ୍ରଣୀଚାଷୀ ଅନନ୍ତ ପ୍ରଧାନ, ଶ୍ରୀଧର ନାୟକ, ବ୍ରଜକିଶୋର ପ୍ରଧାନ, ଖଣ୍ଡିଆମାଟିଆପଡାର ଗୌର ବେହେରା, ଗୋବିନ୍ଦପୁରର ପୂର୍ଣ୍ଣଚନ୍ଦ୍ର ନାୟକ, ସିଉଳାର ଗୌରମୋହନ ପ୍ରଧାନ, ମାଟିଆପଡାର ଜ୍ଞାନେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଏହାକୁ ଦେଖିବା ପାଇଁ ରାସ୍ତା କଡରେ ଲୋକ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା।

Leave A Reply