ପତ୍ନୀ ହତ୍ୟା ଅଭିଯୋଗରେ ଜେଲ ଗଲା ସ୍ୱାମୀ

ପିପିଲି : ଏକ ପତ୍ନୀ ହତ୍ୟା ଅଭିଯୋଗ ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ପିପିଲି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତର ନାମ ଅଭିମନ୍ୟୁ ସ୍ୱାଇଁ ଓରଫ କାଳିଆ (୪୪)ଓ ତାର ଘର ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜ୍ଜୁନସିଂହପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାଇ, ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଅର୍ଜ୍ଜୁନସିଂହପୁର ଗ୍ରାମର ବିବାହିତା ମହିଳା ଅନସୂୟା ସ୍ୱାଇଁ ଓରଫ ରିନା (୪୦)ଙ୍କର ଗତ ୧୪ ତାରିଖ ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତେବେ ରିନାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ବାନାମ୍ବର ସ୍ୱାଇଁ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପିପିଲି ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍‍ ଟିମ୍‍ ସହାୟତାରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଅଭିମନ୍ୟୁକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଏଠାରେ ସୂଚନା ଥାଉକି, ନିମାପଡା ଥାନା ଅନ୍ତର୍ଗତ ମାଗୁଣିଛନ୍ଦା ଗ୍ରାମର ନକୁଳ ସ୍ୱାଇଁଙ୍କ କନ୍ୟା ଅନସୂୟା ଓରଫ ରିନାଙ୍କୁ ଗତ ୨୦ବର୍ଷ ତଳେ ଅଭିମନ୍ୟୁ ବିବାହ କରିଥିଲା। ରିନାଙ୍କ ଭାଇ ବାନାମ୍ବରଙ୍କ ଅଭିଯୋଗ ଅନୁଯାଇ, ବିବାହ ପରଠାରୁ ରିନାଙ୍କୁ ତାଙ୍କ ସ୍ୱାମୀଙ୍କ ସମେତ ଶାଶୁଘର ଲୋକେ ନାନା ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଗତ ୨୦/୨୫ ଦିନ ତଳେ ମଧ୍ୟ ତାଙ୍କୁ ମାଡ ମରାଯିବା କାରଣରୁ ସେ ବାପ ଘରକୁ ପଳାଇ ଯାଇଥିଲେ। ତେବେ ସେଠାରୁ ତାଙ୍କୁ ସ୍ୱାମୀ ବୁଝାସୁଝା କରି ଘରକୁ ଆଣିଥିଲେ। ୧୪ ତାରିଖ ରାତିରେ ତଳେ ପଡି ରିନା ମରିଯାଇଥିବା ସଂପର୍କରେ ଫୋନ୍‍ ଯୋଗେ ଖବର ପାଇ ତାଙ୍କ ଭାଇ ବାନାମ୍ବର ସ୍ୱାଇଁ ଅର୍ଜ୍ଜୁନସିଂପୁର ଗ୍ରାମକୁ ଆସିଥିଲେ। ମୃତଦେହର ପାରିପାର୍ଶ୍ବିକ ସ୍ଥିତି ଓ ନାକରୁ ଫେଣ ବାହାରୁଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା। ତାଙ୍କ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ସେ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି।

Comments are closed.