ପିପିଲିରେ କରୋନା କଟକଣା କଡାକଡି

ପିପିଲି :କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ୩୦ଟି ରାଜ୍ୟ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ୫୪୮ଟି ଜିଲାରେ ଗତକାଲି ଠାରୁ ସରକାରଙ୍କ ପକ୍ଷରୁ ଲକ୍‍ଡାଉନ ଘୋଷଣା କରାଯିବା ପରେ ପ୍ରଶାସନ ପକ୍ଷରୁ କଟକଣାକୁ ଜୋରଦାର କରାଯାଇଛି। ସଂକ୍ରମଣ ରୋକିବାକୁ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ସମଗ୍ର ରାଜ୍ୟରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି। ସମଗ୍ର ପିପିଲି ଅଞ୍ଚଳରେ ମଙ୍ଗଳବାର ସକାଳୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ପିପିଲି ବିଡିଓ ଗୌରବମୟ ପ୍ରଧାନ ପ୍ରମୁଖ ପୁଲିସ ଫୋର୍ସ ସହ ସମଗ୍ର ପିପିଲି ଅଞ୍ଚଳର ବିଭିନ୍ନ ଛକ ବଜାର ଅଞ୍ଚଳରେ ବ୍ଲକିଂ କରି ବିନା ଜରୁରୀ ଆବଶ୍ୟକତାରେ ଯାତାୟତ କରୁଥିବା ଗାଡିମୋଟର ଗୁଡିକୁ ଜବତ କରିଥିଲେ। ଏକାଧିକ ବାଇକ୍‍, ସ୍କୁଟର, ୩ଟି ଅଟୋ ରିକ୍ସା, ୨ଟି ଟ୍ରକ୍‍ ଆଦିକୁ ଜବତ କରାଯାଇଥିଲା। କେତେକ ଗାଡିରୁ ପୁଲିସ ପକ୍ଷରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା। କଟକଣାକୁ ଅମାନ୍ୟ କରି ରାସ୍ତାରେ ବୁଲୁଥିବା କେତେକ ବ୍ୟକ୍ତିଙ୍କୁ ପୁଲିସ ତାଗିଦ୍‍ କରିଥିବା ବେଳେ ଭାରତୀପୁର ବଜାରରେ ଖୋଲିଥିବା ଏକ ଚା’ ଦୋକାନକୁ ସଂନ୍ଧ୍ୟାରେ ସିଲ୍‍ କରିଦିଆଯିବା ସହ ଦୋକାନର ମାଲିକକୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

Comments are closed.