ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ପାଳିତ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ତିରୋଧାନ ଦିବସ ତାଙ୍କର ଜନ୍ମ ଓ ସାଧନା ପୀଠ ବାଲିଗାଁ ଠାରେ ବୁଧବାର ସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ମାଘ ଶୁକ୍ଳ ଏକାଦଶୀ ତିଥିରେ ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଅବସରରେ ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ଉତ୍ସବ ମୁଖର ହୋଇ ଉଠିଥିଲା। ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରତ୍ୟୁଷରେ ଦାସିଆଙ୍କ ସମାଧି ପୀଠରେ ପୂଷ୍ପମାଲ୍ୟ ଅର୍ପଣ କରାଯିବା ସହ ବୈଦିକ ରୀତିରେ ପୂଜାର୍ଚ୍ଚନା, ଗୀତା ଓ ଭାଗବତ ପାଠ କରାଯାଇଥିବା ବେଳେ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ନଗର ସଂକୀର୍ତ୍ତନ କରାଯାଇଥିଲା। ଏହି ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର(ଉତ୍ତର) ପକ୍ଷରୁ ମାଗଣା ହୋମିଓପ୍ୟାଥି ଚିକିତ୍ସା ସହ ଔଷଧ ବିତରଣ କରାଯାଇଥିଲା। ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗକୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା।

ଝିପି ଝିପି ବର୍ଷା ଓ କୋହଲା ପାଗ ସତ୍ତ୍ବେ ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ନିଜ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ, ହୃଷିକେଶ ଜେନା, ବିଜୟ କୁମାର ଦାଶ, ଇଂ ଦେବନାରାୟଣ ପାଲ, ମିନତୀ ବେହେରା, ଡାକ୍ତର ନରେନ୍ଦ୍ର ନାଥ ସାହୁ, ସୁନାରାମ ସିଂ, ଡ଼ଃ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଭକ୍ତ ଦାସିଆଙ୍କ ସ୍ମୃତିଚାରଣ କରିଥିଲେ। ଉକ୍ତ ପୀଠର ଉନ୍ନତିକଳ୍ପେ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ଐତିହ୍ୟ ପୁଷ୍କରିଣୀ ଗୋଠଗାଡ଼ିଆର ପୁନଃର୍ଦ୍ଧାର ଓ ସୌନ୍ଦର୍ୟ୍ୟକରଣ ସହିତ ନିକଟସ୍ଥ ରତ୍ନଚିରା ନଦୀରେ ନୌକାବିହାର ପ୍ରକଳ୍ପ କରାଯିବା ନିମନ୍ତେ ଦାବି କରାଯାଇଥିଲା।

Comments are closed.