ପିପିଲିରେ ଫିଟ୍‍ ଇଣ୍ଡିଆ ସାଇକ୍ଲୋଥନ

ପିପିଲି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତବର୍ଷ ଅଗଷ୍ଟ ୨୯ ତାରିଖରେ ଦେଶବ୍ୟାପୀ ଶୁଭାରମ୍ଭ କରାଯାଇଥିବା ଫିଟ୍‍ ଇଣ୍ଡିଆ ଅଭିଯାନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ଶନିବାର ପିପିଲିରେ ଫିଟ୍‍ ଇଣ୍ଡିଆ ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି। ପିପିଲିର ଅଗ୍ରଣୀ ଅନୁଷ୍ଠାନ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର, ପୁରୀର ମିଳିତ ସହଯୋଗରେ ସ୍ଥାନୀୟ ମେଡିକାଲ ଛକ ସ୍ଥିତ ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପିପିଲି ଆଇଆଇସି ଶରତ କୁମାର ସାହୁ ପତାକା ଦେଖାଇ ଏହି ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ।

ପିପିଲି କଲେଜର ଏନ୍‍ସିସି ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ଯୁବଗୋଷ୍ଠିମାନେ ଏହି ସାଇକ୍ଲୋଥନରେ ବାହାରି ପିପିଲି ବଜାର ପରିକ୍ରମା କରିବା ସହ ସାଧାରଣଲୋକଙ୍କୁ ସଚେତନ କରାଇଥିଲେ। ପରେ ଜୟପୁର ଛକ ସ୍ଥିତ ରୟାଲ ପ୍ୟାଲେସ ଠାରେ ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ମୁଖ୍ୟ ତଥା ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଆଇଆଇସି, ଅଲ୍‍ ଇଣ୍ଡିଆ ଯୋଗ ମହୋତ୍ସବ ସମିତିର ସଂଯୋଜକ ଦିବାକର ହରିଚନ୍ଦନ, ସମାଜସେବୀ ଇ. ରମେଶ ଚନ୍ଦ୍ର ଶତପଥୀ, ନେହେରୁ ଯୁବ କେନ୍ଦ୍ର, ପୁରୀର ଜିଲା ସଂଯୋଜକ ଜୟଶଙ୍କର ଯୋଶୀ, ପିପିଲି କଲେଜର ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ ପ୍ରମୁଖ ଯୋଗଦେଇ ଫିଟ୍‍ ଇଣ୍ଡିଆ ଅଭିଯାନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ କେତେକ ଯୁବ ସମାଜସେବୀଙ୍କୁ ପୁରଷ୍କୃତ କରାଯାଇଥିଲା।

Comments are closed.