ସିଫାରେ ତୃତୀୟ ଜିନୋମିକ୍ସ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ଠାରେ ତୃତୀୟ ଅନ୍ତରାଷ୍ଟ୍ରୀୟ ଜିନୋମିକ୍ସ ସମ୍ମିଳନୀ ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି। ‘ଜିନୋମିକ୍‍ ଇନ୍‍ ଆକ୍ୱାକଲ୍‍ଚର’ ଶୀର୍ଷକ ଏହି ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀରେ ଦେଶ ବିଦେଶରୁ ୨ଶହରୁ ଉର୍ଦ୍ଧ ଗବେଷକ ଯୋଗ ଦେଇଥିବା ବେଳେ ଏଥିରେ ୪ଗୋଟି ତଥ୍ୟ ଯଥା ଜେନେଟିକ୍ସ, ବ୍ରିଡ୍‍ ଇମ୍ପୃଭମେଣ୍ଟ ଏଣ୍ଡ ମଲିକ୍ୟୁଲାର ବ୍ରିଡିଂ, ଜିନୋମ ଏଡିଟିଂ ଓ ବାୟୋସିକ୍ୟୁରିଟି ଏଣ୍ଡ ବାୟୋସେଫ୍‍ଟି, ଜିନୋମ ଇନ୍‍ଫର୍ମାଟିକ୍ସ ଏଣ୍ଡ ଇଣ୍ଟେଲେକ୍‍ଚୁଆଲ୍‍ ପ୍ରପର୍ଟି ରାଇଟ୍‍ ଏବଂ ଜିନୋମିକ୍ସ ଇନ୍‍ ଫିସ୍‍ ହେଲ୍‍ଥ, ରିପ୍ରଡକ୍ସନ ଏଣ୍ଡ ନ୍ୟୁଟ୍ରିସନ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ପଶୁ, ମତ୍ସ୍ୟ ଓ ଉଦ୍ଭିଦ ଗବେଷକଙ୍କୁ ଏକାଠି କରି ଜିନୋମିକ୍‍ ଗବେଷଣାକୁ ଫଳପ୍ରଦ କରିବା ତଥା ସଂଗଠିତ ହୋଇ ବିଭିନ୍ନ କ୍ଷେତ୍ରରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜ୍ଞାନର ବିନିମୟ, ବିଭିନ୍ନ କ୍ଷେତ୍ରରେ ହୋଇଥିବା ବୈଜ୍ଞାନିକ ସଫଳତା, ବୈଜ୍ଞାନିକ ଅନୁଧ୍ୟାନ ଓ ଭାବ ବିନିମୟ ସହିତ ପାରସ୍ପରିକ ସହଯୋଗ ଭିତ୍ତିରେ ଗବେଷଣା ଓ ସାମର୍ଥ୍ୟ ବିକାଶ ଉପରେ ତିନିଦିନ ଧରି ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ଆସୋସିଏସନ୍‍ ଅଫ୍‍ ଆକ୍ୱାକଲ୍‍ଚରିଷ୍ଟ ଓ ସିଫାର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତି ଡ଼ଃ ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ସିଫାର ନିର୍ଦ୍ଦେଶିକା ଡ଼ଃ ବିନ୍ଦୁ ଆର୍‍ ପିଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ଼ଃ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ଖାଦ୍ୟ ସୁରକ୍ଷା ପାଇଁ ଜିନୋମିକ୍‍, ରୋବୋଟିକ୍‍ ଓ ବାୟୋଇନ୍‍ଫରମାଟିକ୍‍ ପ୍ରଭୃତି ଦିଗରେ ଗବେଷଣାର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଥିଲେ। ଜଳକୃଷିର ପ୍ରମୁଖ ହିତାଧିକାରୀଙ୍କ ନିମନ୍ତେ ଆବଶ୍ୟକ ଉତ୍ପାଦ ଓ ପ୍ରଯୁକ୍ତି ବିଦ୍ୟାର ଉଦ୍ଭାବନ ପାଇଁ ସାମୁହିକ ତଥା ସଂଗଠିତ ଗବେଷଣାର ଆବଶ୍ୟକତା ରହିଥିବା ଓ ସମାଜର ଅନୁନ୍ନତ ଶ୍ରେଣୀର ଲୋକଙ୍କ ପାଇଁ ସଠିକ୍‍ ମାର୍ଗରେ ପ୍ରକୃତୀ ଉପଯୋଗୀ ସମନ୍ୱିତ କୃଷି କିପରି ଲାଭଦାୟକ ହୋଇପାରିବ ସେ ଦିଗରେ ଅଧିକ ଗବେଷଣା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଚିଲି ସ୍ଥିତ ଫାବେଟ୍‍-ଇନ୍‍ବାୟୋଜେନ୍‍ ର ନିର୍ଦ୍ଦେଶକ ଡ଼ଃ ଭିକ୍ଟର ମାର୍ଟିନେଜ୍‍ ଯୋଗଦେଇ ଜିନୋମିକ୍‍ ବିଜ୍ଞାନରେ ଗବେଷଣା ଅତ୍ୟଧିକ ବ୍ୟୟସାପେକ୍ଷ ହେଲେ ମଧ୍ୟ ଏହାର ଭବିଷ୍ୟତ ଉଜ୍ଜ୍ୱଳ ଓ ଲାଭଦାୟକ ବୋଲି ପ୍ରକାଶ କରିଥିଲେ। ଯଦିଓ ସାଲ୍‍ମନ୍‍ର ଜିନୋମିକ୍‍ ଡାଟାବେସ୍‍ର ପ୍ରସ୍ତୁତି ୨୦୦୫ ମସିହାରେ ଆରମ୍ଭ ହୋଇଥିଲା, ତାହା କେବଳ ନିକଟ ଅତୀତରେ ସଂପୂର୍ଣ୍ଣ ହୋଇଥିବା ଓ ଜଳକୃଷିରେ ଜିନୋମିକ୍‍ ଗବେଷଣାର ଉପଯୋଗ ଅନ୍ୟାନ୍ୟ ଖାଦ୍ୟ ଉତ୍ପାଦନ କ୍ଷେତ୍ର ଅପେକ୍ଷା ବହୁତ ପଛରେ ଥିବା ସେ ମତବ୍ୟକ୍ତ କରିଥିଲେ। ସିଫାରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ଅନୁବଂଶୀୟ ଗବେଷଣାର ଭୂମିକା ଉପରେ ସିଫାର ନିର୍ଦ୍ଦେଶିକା ଡ଼ଃ ବିନ୍ଦୁ ଆର୍‍ ପିଲାଇ ଆଲୋକପାତ କରିବା ସହ ଏଭଳି ଉଚ୍ଚ ପ୍ରଯୁକ୍ତି ବିଦ୍ୟାରେ ଅଧିକ ଗବେଷଣା ପାଇଁ ଭାରତୀୟ କୃଷି ଗବେଷଣା ପରିଷଦ, ଡିବିଟି, ଡିଏସ୍‍ଟି ତଥା ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ସହ ସହବନ୍ଧିତ ହୋଇଥିବା ସୂଚନା ଦେଇଥିଲେ। ସମ୍ମିଳନୀର ସଂଗଠନ ସଂପାଦିକା ଡ଼ଃ କାନ୍ତା ଦାସ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମ୍ମିଳନୀର ଉତ୍ପତ୍ତି ଓ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ। ଦେଶ ବିଦେଶରୁ ଯୋଗ ଦେଇଥିବା ଗବେଷକମାନେ ‘ମତ୍ସ୍ୟ ଓ ଜଳକୃଷିରେ ଜିନୋମିକ୍‍ ଗବେଷଣା’ ଉପରେ ସେମାନଙ୍କ ସ୍ୱଜ୍ଞାନର ଆଦାନ ପ୍ରଦାନ କରିବା ସହ ଏହା ସେମାନଙ୍କ ସାମର୍ଥ୍ୟ ବିକାଶରେ ବିଶେଷ ସହାୟକ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ପ୍ଲେନାରୀ ସେସନ, ବାଚନିକ ଓ ପୋଷ୍ଟାର ସେସନ ସହ ଏକ ଭବ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଶେଷରେ ଆସୋସିଏସନ୍‍ ଅଫ୍‍ ଆକ୍ୱାକଲ୍‍ଚରିଷ୍ଟ ର ସାଧାରଣ ସଂପାଦକ ଡ଼ଃ ଶୈଳେଶ ସୌରଭ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.