ରକ୍ଷକ ସାଜିଲା ଭକ୍ଷକ : ବଳଙ୍ଗା ଥାନା ଏଏସ୍‍ଆଇଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ

ପିପିଲି : ପୁରୀରେ ପୁଲିସ କ୍ୱାର୍ଟର ଭିତରେ ନାବାଳିକାଙ୍କୁ ବଳାତ୍କାର ଘଟଣା ମାସକ ତଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଣି ଗୁରୁବାର ସଂନ୍ଧ୍ୟାରେ ବଳଙ୍ଗା ଥାନାର ଜନୈକ କାର୍ଯ୍ୟରତ ପୁଲିସ ଏଏସ୍‍ଆଇଙ୍କ ବିରୁଦ୍ଧରେ ଜଣେ ବିବାହିତା ମହିଳା ପିପିଲି ଏସ୍‍ଡିପିଓ ଙ୍କ ନିକଟରେ ବଳତ୍କାର ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କୁ ୩ମାସ ତଳେ ନିଜ ଭଡା ଘର ମଧ୍ୟରେ ପୁଲିସ ଏଏସ୍‍ଆଇ ଜଣକ ବଳାତ୍କାର କରିବା ସହ ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସଂପୃକ୍ତ ପୁଲିସ ଏଏସ୍‍ଆଇଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ଚେତାବନି ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଏକ ମାମଲାରେ ଉକ୍ତ ୩୦ ବର୍ଷିୀୟା ମହିଳାଙ୍କ ସ୍ୱାମୀଙ୍କୁ ବଳଙ୍ଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ମାମଲାରେ ଦଫା କୋହଳ ସହିତ ମହିଳାଙ୍କ ନାମକୁ ମାମଲାରୁ କାଟି ଦେବା ପାଇଁ ଏଏସ୍‍ଆଇ ଜଣକ ପ୍ରତିଶୃତି ଦେଇଥିବା ଓ ବହୁଥର ରାତିରେ ଫୋନ୍‍ରେ ତାଙ୍କ ସହିତ ଅଶ୍ଳିଳ କଥାବାର୍ତ୍ତା କରିବା ସହ ‘ଟିକେ ରୁମ୍‍କୁ ଆସି ମୋ କଥା ବୁଝି ଦେଇ ଯା’ ବୋଲି କହିଥିବା ଅଭିଯୋଗରେ ଉଲ୍ଲେଖ ଅଛି। ୩ମାସ ତଳେ ଏଏସ୍‍ଆଇ ଜଣକ ମହିଳାଙ୍କୁ ଫୋନ୍‍ କରି ଶିଘ୍ର ଥାନାକୁ ଆସିବାକୁ କହିଥିଲେ। ମହିଳା ଜଣକ ଏକ ଅଟୋରେ ଥାନାରେ ପହଞ୍ଚିବା ପରେ କାଗଜ ପତ୍ର ଧରି ମୋ ରୁମ୍‍କୁ ଆସ ବୋଲି ଏକ ଆମ୍ବଗଛ ମୂଳେ ଏଏସ୍‍ଆଇ ଜଣକ କହିଥିଲେ। ମହିଳା ଜଣକ ଉକ୍ତ ଏଏସ୍‍ଆଇଙ୍କ ଭଡା ଘରକୁ ଯିବାପରେ ସେଠାରେ ତାଙ୍କୁ ଏଏସ୍‍ଆଇ ଜଣକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସଂପର୍କରେ କାହାରିକୁ କହିଲେ ମିଥ୍ୟା ମାମଲାରେ ଜେଲ୍‍ରେ ପୁରାଇ ଦେବାକୁ ସଂପୃକ୍ତ ଏଏସ୍‍ଆଇ ଜଣକ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ବହୁ ସମୟରେ ରାତିରେ ମହିଳାଙ୍କ ସହ ଉକ୍ତ ଏଏସ୍‍ଆଇ ଫୋନ୍‍ରେ ବିଭିନ୍ନ ଅଶ୍ଳିଳ କଥାବାର୍ତ୍ତା କରିବା ସହ ତାଙ୍କୁ ରୁମ୍‍କୁ ଆସିବା ପାଇଁ ବାଧ୍ୟ କରୁଥିବା ଓ ଏହା ଦ୍ୱାରା ସେ ମାନସିକ ଓ ଶାରିରିକ ନିର୍ଯ୍ୟାତନା ପାଉଥିବା ନେଇ ଅଭିଯୋଗ କରିଛନ୍ତି। ଏସଂପର୍କରେ ମହିଳା ଜଣକ ବଳଙ୍ଗା ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିଲା। ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ରାଜ୍ୟ ମହିଳା ସଂପାଦିକା ଟିକିନା ପରିଡା, ମିନତୀ ବେହେରା, ସୁଷମା ବେହେରା, ବୈକୁଣ୍ଠ ମାଝି, ଜୟଦେବ ବେହେରା ପ୍ରମୁଖଙ୍କ ସହ ମହିଳା ଜଣକ ଆଜି ସଂନ୍ଧ୍ୟାରେ ପିପିଲି ଏସ୍‍ଡିପିଓ ଙ୍କ କାର୍ଯ୍ୟାଳୟକୁ ଆସି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କ ନିକଟରେ ସଂପୃକ୍ତ ପୁଲିସ ଏଏସ୍‍ଆଇ ବିରୁଦ୍ଧରେ ବଳାତ୍କାର ଅଭିଯୋଗ କରିଛନ୍ତି। ଏସଂପର୍କରେ ଏସ୍‍ଡିପିଓ କୌଣସି ପ୍ରତିକ୍ରୀୟା ଦେଇନଥିବା ବେଳେ ସେଠାରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିବା ଓ ଅଭିଯୋଗର ତଦନ୍ତ ପ୍ରକ୍ରୀୟା ଚାଲିଥିବା ସୂଚନା ମିଳିଛି। ତେବେ ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ପୁଲିସ ଏଏସ୍‍ଆଇଙ୍କୁ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ଚେତାବନୀ ଦେଇଛନ୍ତି।

Comments are closed.