ପିପିଲି ଏନ୍‍ଏସିରେ ବର୍ଜ୍ୟବସ୍ତୁ ପରିବହନ ଗାଡିର ଶୁଭାରମ୍ଭ

ପ୍ରତ୍ୟେକ ଘରୁ ଦୈନିକ ସଂଗ୍ରହ ହେବ ବର୍ଜ୍ୟବସ୍ତୁ

ପିପିଲି: ସ୍ୱଚ୍ଛ ଭାରତ ମିଶନର କଠିନ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ସରକାରଙ୍କ ପକ୍ଷରୁ ପୁରୀ ଜିଲାରେ ପ୍ରଥମ କରି ପିପିଲି ଏନ୍‍ଏସିକୁ ୪ଟି ବର୍ଜ୍ୟବସ୍ତୁ ପରିବହନ ଗାଡି(ଏଲ୍‍ସିଭି) ଯୋଗାଇ ଦିଆଯାଇଛି। ଏହି ଗାଡି ଦ୍ୱାରା ପୌରାଞ୍ଚଳର ସମସ୍ତ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନକୁ ବିଧାୟକ ପ୍ରଦୀପ ମହାରଥୀ ସୋମବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀମହାରଥୀ ଏହି ଅଭିଯାନର ଶୁଭାରମ୍ଭ କରିବା ସହ ଏଥିପାଇଁ ପୌରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ପୁରୀ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ। ପିପିଲି ଏନ୍‍ଏସିକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଉପରେ ସେ ଗୁରୁତ୍ୱାରୋପ କରିବା ସହ ପିପିଲି ହାଟ, ଅକ୍ଟ୍ରାଇ ଓ ବସ୍‍ ପାର୍କିଂ ଟିକସକୁ ସଠିକ୍‍ ଭାବେ ଆଦାୟ କରି ଏନ୍‍ଏସିର ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ପୌରାଞ୍ଚଳରେ ଥିବା ୧୩ଟି ପୋଖରୀର ଖୁବ୍‍ଶିଘ୍ର ନିଲାମ କରାଯିବା ଓ ଏନ୍‍ଏସିରେ ନୂତନ ବସ୍‍ଷ୍ଟାଣ୍ଡ ନିର୍ମାଣର ଶୁଭାରମ୍ଭ କରାଯିବା ସଂପର୍କରେ ସେ ସୂଚନା ଦେବା ସହ ଖୁବ୍‍ଶିଘ୍ର ପୌରାଞ୍ଚଳର ସମସ୍ତ ୱାର୍ଡର ରାସ୍ତା, ଡ୍ରେନ୍‍ ଓ ଆଲୋକିକରଣ ବ୍ୟବସ୍ଥାର ଉନ୍ନତିକରଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ସଂପର୍କରେ ଏନ୍‍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା ସୂଚନା ଦେବା ସହ ପୌରାଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏନ୍‍ଏସି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରର ନୋଡାଲ ଅଫିସର କାଳୀପ୍ରସାଦ ମିଶ୍ର, ସାନିଟେସନ ସୁପରଭାଇଜର ବିଜୟ କୁମାର କୋଦାମସିଂ, ସାନିଟେସନ ଅଧିକାରୀ ଅଶୋକ କୁମାର ଦାଶ, ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ବରିଷ୍ଠ ନେତା ଶରତ ବେହେରା, ଅଜୟ ମହାରଣା , ଆଇନଜୀବୀ ଶ୍ରୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପିପିଲି ପୌରାଞ୍ଚଳର ୧୬ଟି ୱାର୍ଡରେ ଥିବା ମୋଟ୍‍ ୪୬୪୦ ଘରୁ ଏହି ୪ଟି ଗାଡି ଦ୍ୱାରା ପ୍ରତ୍ୟହ ସକାଳ ୭ଟାରୁ ୧୨ଟା ମଧ୍ୟରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତକୁ ସଂଗ୍ରହ କରାଯିବ। ସେଗୁଡିକୁ ଏବେ ଏନ୍‍ଏସିର ଡମ୍ପିଂୟାର୍ଡରେ ପକାଯିବ। ପିପିଲିଶାସନ ଓ ଖଣ୍ଡିଆଗିରି ୱାର୍ଡ ଠାରେ୨ଟି ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ନିର୍ମାଣ ପରେ ଉକ୍ତ ବର୍ଜ୍ୟବସ୍ତୁକୁ ସେଠାରେ ପ୍ରକ୍ରୀୟାକରଣ କରାଯାଇ ସେଥିରୁ କମ୍ପୋଷ୍ଟ ସାର ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ବର୍ଜ୍ୟବସ୍ତୁ ପରିବହନ ଗାଡିରେ ୨ଜଣ ଲେଖାଏଁ ସ୍ୱଚ୍ଛ ସାଥୀ ଓ ୩ଜଣ ଲେଖାଏଁ ସୁଇପରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନଙ୍କୁ ପରିଚାଳନା କରିବା ପାଇଁ ୨ଜଣ ସ୍ୱଚ୍ଛ ସାଥୀ ସୁପରଭାଇଜରଙ୍କୁ ନିଯୁକ୍ତି କରାଯାଇଥିବା ସଂପର୍କରେ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ରର ନୋଡାଲ ଅଫିସର କାଳୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

Comments are closed.