ଦାଣ୍ଡମୁକୁନ୍ଦପୁରରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ

ପିପିଲି: ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଠାରେ ଅଗ୍ରଣୀ ନାଗରିକ ସଂଗଠନ ‘ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ବୁଧବାର ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କ ଠାରେ ଦାବି କରାଯାଇଛି।

ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟୁଷରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ‘ଜନସ୍ୱାର୍ଥ ସୁରକ୍ଷା ସମିତି’ ର ମୁଖ୍ୟସଂଯୋଜକ ତଥା ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ନବକିଶୋର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗୋପବନ୍ଧୁଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅତିଥି ଭାବେ ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ପ୍ରଭାତ କୁମାର ମହାପାତ୍ର, ପ୍ରକାଶ କୁମାର ମିଶ୍ର, ଯୋଗଗୁରୁ ବଂଶୀଧର ସାହୁ, ରଣଜିତ ପଣ୍ଡା, ବଂଶୀଧର ଦାସ, ଚିତ୍ତରଞ୍ଜନ ସାହୁ, ବନବିହାରୀ ପଣ୍ଡା, ପ୍ରଭାକର ସେଠୀ, ପିପିଲି ସଚେତନ ନାଗରିକ ମଞ୍ଚର ଅଧ୍ୟକ୍ଷ ଆଡ୍‍ଭୋକେଟ୍‍ ସୁରେଶ କୁମାର ରଥ, ବରିଷ୍ଠ ନାଗରିକ ଭଗବାନ ସେଠୀ, ପିପିଲି ମହୋତ୍ସବ କମିଟିର ନୃସିଂହ ଚରଣ ସାହୁ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀର ତ୍ୟାଗ, ନିଷ୍ଠା, ସମାଜସେବା ଓ ସାମ୍ବାଦିକତା ଦିଗ ଉପରେ ଆଲୋକପାତ କରିଥିଲେ। ସମିତି ପକ୍ଷରୁ ଏହି ଅବସରରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରାଯିବା, ଉତ୍କଳମଣିଙ୍କ ରଚିତ କବିତା ଗୁଡିକୁ ବିଭିନ୍ନ ଭାଷାରେ ଭାଷାନ୍ତର କରାଯାଇ ତାକୁ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ପ୍ରଚାର ଓ ପ୍ରସାର କରାଯିବା ଆଦି ଦାବି ସମ୍ବଳିତ ଏକ ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଜନକଲ୍ୟାଣ ମନ୍ଦିର ନିକଟରେ ସାମୁହିକ ସଫେଇ କରାଯାଇଥିଲା।

 

Comments are closed.