ଡେଙ୍ଗୁ ନେଲା ମହିଳାଙ୍କ ଜୀବନ ; ପିପିଲିରେ ଆତଙ୍କ

0

ପିପିଲି : ଡେଙ୍ଗୁ ରୋଗରେ ପିଡିତ ହୋଇ କ୍ୟାପିଟାଲ ହସପିଟାଲ୍‍ରେ ଚିକିତ୍ସିତ ହେଉଥିବା ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରୀ ଗ୍ରାମର ଦ୍ରୌପଦୀ ବିଶ୍ୱାଳ (୪୦)ଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି। ଏହି ଘଟଣା ପିପିଲି ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳାଇଦେବା ସହ ଆତଙ୍କର ବାତାବରଣ ସୃଷ୍ଟି କରିଛି।
ଖଣ୍ଡିଆଗିରୀ ଗ୍ରାମର ପ୍ରସନ୍ନ ବିଶ୍ୱାଳଙ୍କ ପତ୍ନୀ ଦ୍ରୌପଦୀ ଗତ ୨୪ ତାରିଖ ସକାଳେ ହଠାତ୍‍ ବେହୋସ ହୋଇ ପଡିବା ପରେ ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ରକ୍ତ ନମୁନାରୁ ଡେଙ୍ଗୁ ପଜେଟିଭ୍‍ ବାହାରିଥିଲା। ତାଙ୍କ ଅବସ୍ଥାରେ ଅବନତି ହେବା ପରେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଏହା ପୂର୍ବରୁ ଉକ୍ତ ଖଣ୍ଡିଆଗିରୀ ଗ୍ରାମର ଅନ୍ୟ ଦୁଇଜଣ ମହିଳା ଯଥା ମୁନା ପ୍ରଧାନଙ୍କ ପତ୍ନୀ ସୀମା ପ୍ରଧାନ(୪୦) ଓ ଭାସ୍କର ସାହୁଙ୍କ ପତ୍ନୀ ମଞ୍ଜୁଲତା ସାହୁ(୪୫) ମଧ୍ୟ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। ୪ମାସ ମଧ୍ୟରେ ଗୋଟିଏ ଗ୍ରାମର ୩ଜଣ ମହିଳା ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ଓ ଜଣଙ୍କର ମୃତ୍ୟୁ ଘଟିବା ଘଟଣା ଖଣ୍ଡିଆଗିରୀ ସମେତ ଆଖପାଖ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଆବଶ୍ୟକ ସଚେତନତା ଓ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି।

Comments
Loading...