ଇନ୍ଦିରା ମଇଦାନକୁ ଉଠିଲା ପିପିଲି ସାପ୍ତାହିକ ହାଟ

ସକାଳ ୬ରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ ହାଟ

ପିପିଲି : ପୁରୀ ଜିଲାର ସବୁଠାରୁ ବଡ ତଥା ପ୍ରମୁଖ ହାଟ କୁହାଯାଉଥିବା ପିପିଲି ସାପ୍ତାହିକ ହାଟକୁ ପିପିଲି ହାଟଛକରୁ ସ୍ଥାନୀୟ ପଦାସାହି ସ୍ଥିତ ଇନ୍ଦିରା ମଇଦାନକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ସପ୍ତାହର ପ୍ରତି ସୋମବାର ଓ ଶୁକ୍ରବାର ଚାଲୁଥିବା ଏହି ହାଟରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହେଉଥିବା ବେଳେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ତଥା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରିବା ପାଇଁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ପିପିଲି ପୌରାଞ୍ଚଳ ଅନ୍ତର୍ଗତ ହାଟଛକ ଠାରେ ଚାଲୁଥିବା ଏହି ସାପ୍ତାହିକ ହାଟ ଉପରେ ଆଖପାଖ ଅଞ୍ଚଳର ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି। ଏହି ହାଟରେ ଛୋଟ ବଡ ହୋଇ ୫ଶହରୁ ଉର୍ଦ୍ଧ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ଚଳାଇଥାନ୍ତି। ବିଶେଷ କରି ଏହା ହେଉଛି ଜିଲାର ସବୁଠାରୁ ବଡ ପାନ ହାଟ।  ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପାନପତ୍ର ଯାଉଥିବା ବେଳେ ସୁଦୂର କଲିକତାକୁ ପ୍ରତି ହାଟପାଳିରେ କେବଳ ୨ରୁ ୩ଟ୍ରକ ପାନ ରପ୍ତାନି ହୋଇଥାଏ। ସେହିପରି ବାଲିପାଟଣା, ବନମାଳିପୁର ଆଦି ଅଞ୍ଚଳର ଗୁଆ ବ୍ୟବସାୟୀ ମାନେ ଏଠାରେ ସେମାନଙ୍କ ବ୍ୟବସାୟ ଚଳାଉଥିବା ବେଳେ ଏହି ହାଟରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନଡିଆ ରପ୍ତାନି ହୋଇଥାଏ। ପିପିଲି ଓ ଏହାର ଆଖପାଖ ଅଞ୍ଚଳର ଚାଷୀମାନେ ଏଠାରେ ସେମାନଙ୍କ ପନିପରିବା ବିକ୍ରିବଟା କରିଥାନ୍ତି।

ତଦନୁଯାଇ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ, ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଅତିରିକ୍ତ ତହସିଲଦାର ତଥା ପିପିଲି ଏନ୍‍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା ପ୍ରମୁଖ ଆଜି ଇନ୍ଦିରା ମଇଦାନକୁ ଯାଇ ସେଠାରେ ହାଟ ବସିବାକୁ ସ୍ଥାନ ନିରୁପଣ କରିଥିଲେ। ସ୍ଥାନୀୟ ଦୁଇ ବ୍ୟବସାୟୀ ସଂଘର ସଭାପତି ଧିରେନ୍ଦ୍ର ସାମନ୍ତରାୟ, ଅଶୋକ କୁମାର ଅଗ୍ରୱାଲା, ଜନ ପ୍ରତିନିଧି ଧରଣୀଧର ସାହୁ, ଆଇନଜୀବୀ ଶ୍ରୀଧର ପ୍ରଧାନଙ୍କ ସମେତ ପିପିଲି ହାଟ ବ୍ୟବସାୟୀ ସଂଘର ପ୍ରତିନିଧିଙ୍କ ସହ ଉପରୋକ୍ତ ଅଧିକାରୀମାନେ ୩ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅସ୍ଥାୟୀ ହାଟ ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ ପଡିଆର ଚାରିପଟେ ଅସ୍ଥାୟୀ ଦୋକାନ କରାଯିବ ଓ ପ୍ରତି ଦୋକାନ ମଧ୍ୟରେ ଅତିକମ୍‍ରେ ୧୫ ଫୁଟ୍‍ ଦୂରତା ରହିବ। ପ୍ରତି ଦୋକାନ ସମ୍ମୁଖରେ ୫ଫୁଟ୍‍ ଦୂରତାରେ ଗୋଲେଇ ଟଣା ଯିବ ଓ ସେହି ଗୋଲେଇ ମଧ୍ୟରେ ଗ୍ରାହକ ମାନେ ଠିଆ ହୋଇ ସାମାଜିକ ଦୂରତ୍ୱ ବଜାୟରଖି ପନିପରିବା ଓ ଅନ୍ୟାନ୍ୟ ସଉଦା କିଣିପାରିବେ ବୋଲି ପ୍ରଶାସନ ପକ୍ଷରୁ ବ୍ୟବସାୟୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପିପିଲି ଏନ୍‍ଏସି ପକ୍ଷରୁ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ପାନୀୟ ଜଳ ଓ ପରିମଳ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ଅତିରିକ୍ତ ତହସିଲଦାର ତଥା ପିପିଲି ଏନ୍‍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା ସୂଚନା ଦେଇଥିଲେ।

ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ଚାଲିବାକୁ ଥିବା ବେଳେ ସେଠାରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ। କଟକଣା ନିୟମ ଓ ସାମାଜିକ ଦୂରତ୍ୱ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତଙ୍କୁ କଡା ଚେତାବନୀ ଦିଆଯାଇଥିଲା। ଉକ୍ତ ଅସ୍ଥାୟୀ ହାଟ ମଧ୍ୟକୁ କେବଳ ବ୍ୟବସାୟୀ ଓ ଚାଷୀଙ୍କ ଗାଡି ଆସିବ କିନ୍ତୁ କୌଣସି ଗ୍ରାହକଙ୍କ ବାଇକ୍‍ କିମ୍ବା ୩ ଓ ୪ଚକିଆ ଗାଡିକୁ ରାସ୍ତାରେ ଗଡିବାକୁ ଦିଆଯିବନି ବୋଲି ପ୍ରଶାସନ ପକ୍ଷରୁ ସ୍ୱଷ୍ଟ ଭାବେ ଘୋଷଣା କରାଯାଇଛି।

Comments are closed.