ଚଳିତ ବର୍ଷ ଶେଷ ସୁଦ୍ଧା ୮ ଲକ୍ଷ ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ୮ଲକ୍ଷରୁ ଊର୍ଦ୍ଧ୍ବ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ସଚିବାଳୟରେ ସମୀକ୍ଷା କରିବା ଅବସରରେ କହିଛନ୍ତି ଯେ ଏହି ଲକ୍ଷ୍ୟ ପୁରାଣ ହେଲେ ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

ମିଳିଥିବା ସୂଚନାରୁ ଜଣାପଡିଛି ଯେ ସହରାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରସ୍ତାବିତ ୭୯୩ଟି ପ୍ରକଳ୍ପ ମଧ୍ୟରୁ ୬୪୨ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୫୧ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡିଶା ରାଜ୍ୟ ସହରାଞ୍ଚଳ ପାନୀୟ ଜଳନୀତି ଅନୁଯାୟୀ ୨୦୧୩ ମସିହାରେ ପ୍ରସ୍ତୁତ ଏହି ପ୍ରକଳ୍ପ ୨୦୨୬ ସୁଦ୍ଧା ଶେଷ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ତାହା ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଅନ୍ୟ ପକ୍ଷରେ ବିଦ୍ୟୁତ ସରବରାହ ବ୍ୟାହତ ହେଲେ, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଭାବେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜେନେରେଟର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପାଣିର ଗୁଣବତ୍ତା ପରୀକ୍ଷା କରିବା ନିମନ୍ତେ ପିପିପି ମୋଡରେ ୯ଟି ପରୀକ୍ଷାଗାର ସ୍ଥାପନ କରାଯାଇଥିବା ସେ କହିଛନ୍ତି।

Comments are closed.