୫ଟି ହାଇସ୍କୁଲ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ସାଂସଦ ପିନାକୀ ମିଶ୍ର; ମିଶନ ଶକ୍ତି କାଫେକୁ ପ୍ରଶଂସା କଲେ

ପିପିଲି: ପୁରୀ ସାଂସଦ ପିନାକୀ ମିଶ୍ର ରବିବାର ଦିନିକିଆ ପିପିଲି ଗସ୍ତରେ ଆସି ୫ଟି ରୂପାନ୍ତରିତ ହାଇସ୍କୁଲ ସମେତ ବିଭିନ୍ନ ସରକାରୀ ପ୍ରକଳ୍ପକୁ ବୁଲି ଅନୁଧ୍ୟାନ କରିଥିଲେ। ଏଥିସହ ପିପିଲି ବ୍ଲକ ପରିସରରେ ଥିବା ‘ମିଶନ ଶକ୍ତି କାଫେ’ରେ ସେ ମଧ୍ୟାହ୍ନ ଭୋଜନ କରିବା ସହ ଏହାକୁ ଉଚ୍ଚ ପ୍ରଶଂସା କରିଥିଲେ।

ରାଜ୍ୟ ସରକାରଙ୍କ ୫ଟି ତତ୍ତ୍ୱାବଧାନରେ ରୂପାନ୍ତରିତ କାର୍ଯ୍ୟ ଚାଲିଥିବା ପିପିଲିର ଜବାହର ବିଦ୍ୟାପୀଠ, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ଓ କଣ୍ଟି ଗ୍ରାମପଞ୍ଚାୟତ ହାଇସ୍କୁଲକୁ ସାଂସଦ ପିନାକୀ ମିଶ୍ର ପରିଦର୍ଶନ କରିଥିଲେ। ତାଙ୍କ ସହ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ପିପିଲି ବିଡିଓ ରଶ୍ମିତା ନାଥ ଉପସ୍ଥିତ ଥିଲେ। ସେଠାକାର ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ବିଜ୍ଞାନାଗାର, ଲାଇବ୍ରେରୀ, ଖେଳପଡ଼ିଆ ଆଦିକୁ ସାଂସଦ ଶ୍ରୀମିଶ୍ର ବୁଲି ଦେଖିଥିଲେ। ରୂପାନ୍ତରିକରଣର ଆବଶ୍ୟକତା ଓ ରୂପାନ୍ତରଣ ହେବା ପରେ ଛାତ୍ରଛାତ୍ରୀମାନେ ଉପକୃତ ହେବା ଏବଂ ପାଠପଢ଼ାର ମାନ ବୃଦ୍ଧି ପାଇଥିବା ସଂପର୍କରେ ବିଡିଓ ଶ୍ରୀମତୀ ନାଥ ବିଶଦ ଭାବେ ସୂଚନା ଦେଇଥିଲେ। ଏଥିସହ ରୂପଦେଇପୁର ପଞ୍ଚାୟତର କଲ୍ୟାଣମଣ୍ଡପ ଓ ଅତ୍ୟାଧୁନିକ ଗ୍ରାମୀଣ ଲାଇବ୍ରେରୀକୁ ସାଂସଦ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ। ପରେ ସେ ପିପିଲି ବ୍ଲକ ପରିସରରେ ଥିବା ‘ମିଶନ ଶକ୍ତି କାଫେ’ରେ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରେ ଖାଦ୍ୟର ପ୍ରସ୍ତୁତି, ମାନ ଓ ଗୁଣବତ୍ତା ସଂପର୍କରେ ସେ ଅନୁଧ୍ୟାନ କରିବା ସହ ‘କାଫେ’କୁ ଉଚ୍ଚ ପ୍ରଶଂସା କରିଥିଲେ। ସାଂସଦଙ୍କ ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ପୌର ଉପାଧ୍ୟକ୍ଷା ଭାଗ୍ୟବତୀ ମହାରଣା, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ସୁଶ୍ରୀ ସଙ୍ଗୀତା ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସାଂସଦ ପ୍ରତିନିଧି ତଥା ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ପୂର୍ବତନ ସରପଞ୍ଚ ପ୍ରକାଶ କୁମାର ଧଳଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

 

 

 

Comments are closed.