ପାଇଲଟ୍ କହିଲେ ବିଜେପିରେ ଯୋଗଦେବିନି; ସେପଟେ ଅଯୋଗ୍ୟ ଘୋଷିତ କରିବାକୁ କଂଗ୍ରେସର ପ୍ରକ୍ରିୟା

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହେବା ପରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍ଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ସେ ବିଜେପିରେ ଯୋଗଦେବେନି ବୋଲି ପାଇଲଟ୍ କହିଛନ୍ତି। ସେ କହିଛନ୍ତି, ମୁଁ ଏବେ ବି କଂଗ୍ରେସରେ ରହିଛି। ସେପଟେ କଂଗ୍ରେସ ତାଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।
ପାଇଲଟ୍ କହିଛନ୍ତି, ମୋ ବିରୋଧରେ ଅଭିଯୋଗ ହେଉଛି ଯେ ମୁଁ ବିଜେପି ସହିତ ମିଶି ସରକାର ଭାଙ୍ଗିବାକୁ ଚାହୁଁଛି। ବିଜେପି ସହିତ ମିଶି ସରକାର ଭାଙ୍ଗିବା ଭୁଲ୍। ମୁଁ ନିଜ ଦଳ ବିରୋଧରେ ଏପରି କାମ କାହିଁକି କରିବି ? ମୁଁ ଏବେ ବି ଦଳରେ ରହିଛି। ଆଗାମୀ ପଦକ୍ଷେପ ସମ୍ପର୍କରେ ମୁଁ ମୋ ସମର୍ଥକଙ୍କ ସହିତ ଆଲୋଚନା କରିବି। ରାଜସ୍ଥାନର ଜନସାଧାରଣଙ୍କ ପାଇଁ କାମ କରିବା ଜାରି ରଖିବି।
ଅନ୍ୟପଟେ କଂଗ୍ରେସ ପାଇଲଟ୍ଙ୍କୁ ପିସିସି ଅଧ୍ୟକ୍ଷ ପଦରୁ ହଟାଇବା ପରେ ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ବାଚସ୍ପତି କଂଗ୍ରେସର ଅଭିଯୋଗ ଆଧାରରେ ପାଇଲଟ୍ଙ୍କ ସମେତ ୧୯ ବିଧାୟକଙ୍କୁ ନୋଟିସ ପଠାଇଛି। ଶୁକ୍ରବାର ସୁଦ୍ଧା ସେମାନଙ୍କୁ ଜବାବ ଦାଖଲ କରିବାକୁ କୁହାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଏବଂ ଦଳୀୟ ବୈଠକରେ ୨ ଥର ଯୋଗ ନ ଦେବା ପରେ ସେମାନଙ୍କୁ କାହିଁକି ଅଯୋଗ୍ୟ ଘୋଷିତ କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି।