ପାଇଲଟ୍‌ଙ୍କ ରୋଷେଇ ବ୍ୟବସାୟ

ଗଲା କିଛିଦିନ ହେଲା, ମାଲେସିଆର ଏକ ଭିଡିଓକୁ ଲକ୍ଷଧିକ ଲୋକ ପସନ୍ଦ କରିବା ସହ ବାରମ୍ବାର ଶେୟାର ମଧ୍ୟ କରାଯାଉଛି। ଜଣେ ପାଇଲଟ୍ ରାସ୍ତା କଡ଼ ଠେଲା ଦୋକାନରେ ରୋଷେଇ କଲେ, ଦେଖଣାହାରୀ ଘଡ଼ିଏ ଚାହିଁବା ସାଧାରଣ କଥା। କୌଣସି ରିଏଲିଟି ଶୋ’ର ଦୃଶ୍ୟ ଏହା ନୁହେଁ, କରୋନାର ତାଡ଼ନାରେ ଚାକିରି ହରାଇଥିବା ଜଣେ ପାଇଲଟ୍‌ଙ୍କ ଜୀବନଜୀବିକା ପାଇଁ ଚାଲିଛି ସଂଘର୍ଷ। ମାଲେସିଆନ୍ ଏୟାରଲାଇନ୍ସରେ ୪୪ ବର୍ଷୀୟ ଅଜ୍ରିନ୍ ମହମ୍ମଦ ପାଇଲଟ୍ ଭାବେ କାମ କରୁଥିଲେ। ଲକ୍-ଡାଉନ୍ ସମୟରେ ଏପ୍ରିଲ୍‌ବେଳକୁ କମ୍ପାନୀ ଦରମା ଦେଇ ନ ପାରି ଚାକିରିରୁ ଅନେକ କର୍ମଚାରୀଙ୍କୁ ବାହାର କଲା। ଚାକିରି ଯିବା ପରେ ଅଜ୍ରିନ୍ ଚିନ୍ତାରେ ପଡ଼ିଗଲେ। ୪ ପିଲାଙ୍କୁ ନେଇ ଚଳିବେ କିପରି? ଅନ୍ୟ କୌଣସି ସଂସ୍ଥାରେ ଚାକିରି ଏଇ ସମୟରେ ମିଳିବା ସବୁଠୁ ବଡ଼ କାଠିକର କାମ। ବହୁ ଭାବିବା ପରେ କୁଆଲାଲମ୍‌ପୁର୍ ମୁଖ୍ୟ ବଜାରରେ ଖାଦ୍ୟ ଷ୍ଟଲ୍‌ଟିଏ ଖୋଲିବାକୁ ସ୍ଥିର କଲେ। ହେଲେ ଗ୍ରାହକଙ୍କୁ ଆକୃଷ୍ଟ କରିବେ କିପରି? ତାଙ୍କ ଠେଲାର ନାମ ରଖିଲେ ‘କ୍ୟାପଟେନ୍ସ କର୍ଣ୍ଣର୍’। ସବୁଠୁ ମୁଖ୍ୟ ଆକର୍ଷଣ ହେଲେ ସେ ନିଜେ। ପାଇଲଟ୍ ପୋଷାକ ପିନ୍ଧିବା ସହ କ୍ୟାପ୍ ପିନ୍ଧି ଦୈନିକ ସେ ଠେଲାରେ ରାନ୍ଧିବା ସହ ଗ୍ରାହକଙ୍କୁ ଖାଦ୍ୟ ପରଷିଲେ। କୁଆଲାଲମ୍‌ପୁର୍‌ ରାସ୍ତାରେ ଜଣେ ରୋଷେୟା ପାଇଲଟ୍ ପୋଷାକ ପିନ୍ଧି ଖାଦ୍ୟ ପରଷିବା ନିହାତି ଭାବେ ଆଶ୍ଚର୍ଯ୍ୟ ଥିଲା। ଗ୍ରାହକ ଆସିବା ସହ ତାଙ୍କ ହାତରନ୍ଧାର ତାରିଫ୍ କରୁଛନ୍ତି ମଧ୍ୟ। କିଛି ସପ୍ତାହ ତଳେ ତାଙ୍କ ଏୟାରଲାଇନ୍ସ କମ୍ପାନୀର କେତେଜଣ କର୍ମଚାରୀ ଏଇ ପାଇଲଟ୍ ପୋଷାକ ପିନ୍ଧି ଅଜ୍ରିନ୍‌‌ଙ୍କ ରୋଷେଇ କରିବା ଉଚିତ୍ ନୁହେଁ ବୋଲି ଗଣମାଧ୍ୟମକୁ ଅବଗତ କରାଇଥିଲେ। ହେଲେ ଏୟାରଲାଇନ୍ସ ମୁଖ୍ୟ କର୍ମକର୍ତ୍ତା ଅଜ୍ରିନ୍‌ଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ନିଜ ପରିବାର ଚଳାଇବା ପାଇଁ ତାଙ୍କର ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି ଏୟାରଲାଇନ୍ସ ତରଫରୁ କୁହାଯାଇଛି।

Comments are closed.