ପିପିଲିରେ ବଢିଚାଲିଛି ଲୁଟ୍‍ ଘଟଣା; ମହିଳାଙ୍କ ଠାରୁ ଲୁଟିନେଲେ ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ ଫୋନ୍‍

ପିପିଲି: ଗତ କିଛି ଦିନ ହେଲା ପିପିଲି ଅଞ୍ଚଳରେ ଲୁଟ୍‍ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ମଧ୍ୟ ମାମଲାରେ ପୁଲିସକୁ ଏପର୍ଯ୍ୟନ୍ତ ସଫଳତା ମିଳିପାରି ନ ଥିବା ବେଳେ ଏବେ ପିପିଲିରେ ଲୁଟେରାଙ୍କ ରାଜ୍‍ ଚାଲିଛି। ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କ ଠାରୁ ସୁନା ଅଳଙ୍କାର, ଟଙ୍କା ଓ ମୋବାଇଲ୍‍ ଫୋନ୍‍କୁ ଲୁଟେରା ଲୁଟି ନେଇଛନ୍ତି।
ସୂଚନା ଅନୁଯାଇ, ଭୁବନେଶ୍ୱର ବରଗଡ ଅଞ୍ଚଳର ପ୍ରଶାନ୍ତ ମଲ୍ଲିକ ନିଜ ଆକ୍ଟିଭା ସ୍କୁଟରରେ ପତ୍ନୀଙ୍କୁ ନେଇ ବଳଙ୍ଗା ଯାଉଥିବା ବେଳେ ଦିନ ପ୍ରାୟ୧୨ଟା ସମୟରେ ଲୁଟ୍‍ର ଶିକାର ହୋଇଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାରୁ ନିମାପଡା ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଫ୍ଲାଏଓଭର ବ୍ରିଜ୍‍ ସର୍ଭିସ ରୋଡ୍‍ରେ ଦୁଇଜଣ ଦୁର୍ବୁତ୍ତ ଏକ ନାଲି ରଙ୍ଗର ବାଇକ୍‍ରେ ଆସି ପ୍ରଶାନ୍ତଙ୍କ ପତ୍ନୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍‍କୁ ଛଡାଇ ନେଇ ଦୃତଗତିରେ ପଳାଇଥିଲେ। ଉକ୍ତ ଭ୍ୟାନିଟି ବ୍ୟାଗ୍‍ରେ ଗୋଟିଏ ସୁନାହାର, ସୁନାଚେନ୍‍, ସୁନା ଲକେଟ୍‍, ନଗଦ ୨ହଜାର ଟଙ୍କା, ମୋବାଇଲ୍‍ ଫୋନ୍‍ ଓ ଛୋଟ ପିଲାଙ୍କ ନୂଆ ଡ୍ରେସ୍‍ ଆଦି ଥିଲା। ଏସଂପର୍କରେ ପ୍ରଶାନ୍ତ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ପିପିଲିରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍‍। ସ୍ପଷ୍ଟ ଦିବାଲୋକରେ ଆଉ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୁଟେରା ଖେଳାଇଛନ୍ତି ଆତଙ୍କ। ଯିଏ ଯୋଉଠି ପାଇଲା ଲୋକଙ୍କ ଠାରୁ ଲୁଟ୍‍ କରିବାକୁ ପଛାଉନାହାନ୍ତି। ପୁଲିସ ପ୍ରତି ସେମାନଙ୍କର ଭୟ କିମ୍ବା ଖାତିର ନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜପଥ ଉପରେ ଦିନକୁ ଦିନ ରାହାଜାନୀ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ବେଶ ନିରାପଦରେ ଖସି ଯିବାରେ ସକ୍ଷମ ହେଉଛନ୍ତି। ଫଳରେ ସାଧାରଣଲୋକଙ୍କ ଧନ ଓ ଜୀବନର ସୁରକ୍ଷା ପ୍ରତି ବିରାଟବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.