କଣ୍ଠଶିଳ୍ପୀ ‘ସ୍ମରଣିକା ନାୟକ’ ଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ-୨୦୨୦

୩୧ ତମ ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା : ପିଲାଙ୍କ କଣ୍ଠରେ ଅକ୍ଷୟ ସଙ୍ଗୀତ

ଭୁବନେଶ୍ବର: ଡିଜିଟାଲ ମଞ୍ଚରେ ଆଜିଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା। ଆଜିର ସନ୍ଧ୍ୟାକୁ ଉତ୍ସର୍ଗ କରାଯାଇଥିଲା ଓଡିଶାର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ। ଶିଶୁ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାଙ୍କର ୧୮ତମ ଶ୍ରାଦ୍ଧ ବାର୍ଷିକୀରେ। କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ।
ଆଜି ସନ୍ଧ୍ୟା ଅଧିବେଷନ ରେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସର୍ବଶ୍ରୀ ଲକ୍ଷ୍ମୀକାନ୍ତ ପାଲିତ୍‍, କଣ୍ଠଶିଳ୍ପୀ ବିଭୁ ଦାସ, ବନ୍ଦିତା ଦାସ, ବିଶିଷ୍ଟ ଚିତ୍ରକାର ବାଞ୍ଛାନିଧି ପଟ୍ଟନାୟକ ଆଦି ଯୋଗଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିକକ୍‍ କାର୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି, ରୋଟାରୀ ୟୁନିକ୍‍ ଭୁବନେଶ୍ବରର ଦିବ୍ୟ ରଞ୍ଜନ ଦାଶ, ସାମ୍ବାଦିକ ମାଧବ ନନ୍ଦ ବେହୁରା ପ୍ରମୁଖ ନିଜର ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଜଣାଥିଲେ। ପିକକ୍‌ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ପିକକ୍‌ର ସମ୍ପାଦକ ରଞ୍ଜନ ମହାନ୍ତି ପିଲାଙ୍କ ଅକ୍ଷୟ ସମ୍ମାନର ଘୋଷଣା କରିଥିଲେ। ଏହି ସମ୍ମାନକୁ ପିପୁଲ୍‍ସ୍‍ କଲଚରାଲ୍‍ ସେଣ୍ଟର (ପିକକ୍) ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ରେ ୨୦୦୩ରୁ ୧୮ ବର୍ଷରୁ କମ ବୟସର ଜଣେ କଣ୍ଠଶିଳ୍ପୀଙ୍କୁ ପ୍ରଦାନ କରି ଆସୁଅଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସ୍ମରଣିକା ନାୟକଙ୍କୁ ‘ପିଲାଙ୍କ ଅକ୍ଷୟ ସମ୍ମାନ-୨୦୨୦’ରେ ସମ୍ମାନିତ କରଯାଇଥିଲା।

ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକ “ଯାଯାବର ମନ ମୋର”, “ସ୍ମୃତି ତୁମେ ଶ୍ରାବଣ”, “ଉଦାସୀ ଆଖି”, “ସେଇ ଦୀପ ଅଛି”, “ଏ ଜୀବନେ ମୋ ଜୀବନେ”, “ଚନ୍ଦ୍ରମାଳୀ ହସେ”, “ଚିଠି ନୁହେଁ ସେତ”, “ନିଶି ବିଜନେ”, “ଅଭିମାନୀନି ଏ”, “ଫୁର କିନା ଉଡି ଗଲା ବଣି”,”ଆରେ ଲାଜ ଲାଗେ”, “ଏଇ ଯେ ବନଲତା ପାହାଡ” ଇତ୍ୟାଦି ଗୀତଗୁଡ଼ିକ କୁନି କଣ୍ଠଶିଳ୍ପୀମାନେ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ। ସ୍ମରଣିକା ନାୟକ, ୟଶ୍‍ ମହାନ୍ତି, ଆକାଂକ୍ଷା ସାହୁ, ନିର୍ବିଶେଷ ସାହୁ, ଲିପ୍‍ଶା ମିଶ୍ର, ତନୁଶ୍ରୀ ଜେନା, ରୁଦ୍ର ମାଧବ ମଣ୍ଡଳ, ଶୌର୍ୟ୍ୟସ୍ନତା ମିଶ୍ର, ସ୍ନିଗ୍ଧା ବିନ୍ଧାଣୀ, ତନୁଶ୍ରୀ ଜେନା ଓ ସାତ୍ୱିକ୍‍ ସମ୍ପର୍ଣ୍ଣ ପ୍ରମୁଖ କଣ୍ଠଶିଳ୍ପୀ ଅକ୍ଷୟ ସଙ୍ଗୀତ ଗାନ କରିଥିଲେ।
ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ ୟୁନିକ୍‍, ଭୁବନେଶ୍ବରର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା। ପିକକ୍‌ର ରତ୍ନା ଦାଶ, ସୁଶ୍ରୀ ଶୈଲାନୀ ସୁମନ, ମୋନଲିସା ପାତ୍ର, ଦେବାଶିଷ ମହାପାତ୍ର, ଧର୍ମାନନ୍ଦ ସୁନ୍ଦରରାୟ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Comments are closed.