ରଥଯାତ୍ରା ଆୟୋଜନକୁ ନେଇ ଜନସ୍ବାର୍ଥ ମାମଲା

କଟକ: ରଥ ନିର୍ମାଣ ଓ ରଥଯାତ୍ରା ଆୟୋଜନ ପ୍ରସଂଗକୁ ନେଇ ହାଇକୋର୍ଟରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଦାୟର ମାମଲାରେ ଦର୍ଶାଯାଇଛି ଯେ ରଥଯାତ୍ରା ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଉ। ‌ତୃତୀୟ ପର୍ୟ୍ୟାୟର ଲକ୍‌ଡାଉନ ମେ’ ୪ରୁ ଆରମ୍ଭ ହୋଇଥିବା ବେଳେ ରଥଯାତ୍ରା ଆୟୋଜନ ନେଇ କିଛି ଆଶଙ୍କା ରଖିବା ଉଚିତ ନୁହେଁ। ରଥ ନିର୍ମାଣ ପାଇଁ ଅନୁକୂଳ ସରିଥିବା ବେଳେ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ କେବେ ଠାରୁ ପହଞ୍ଚି ସାରିଛି। ରଥ ନିର୍ମାଣରେ କିନ୍ତୁ ଅଯଥା ବିଳମ୍ବ କରାଯାଉଛି। ଜୁନ୍ ୨୩ରେ ରଥାଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ରଥ ନିର୍ମାଣ ଶେଷ ହେବା ଆବଶ୍ୟକ। ଏପରି ପରିସ୍ଥିତିରେ ତୁରନ୍ତ ରଥ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଉ। ରଥାଯାତ୍ରର ସ୍ନାନଯାତ୍ରା, ଗୁଣ୍ଡିଚାଯାତ୍ରା, ବାହୁଡାଯାତ୍ରା, ସୁନାବେଶ, ଅଧରପଣା, ନୀଳିଦ୍ରିବ‌ିଜେ ପ୍ରମୁଖ ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦେଶବିଦେଶର ଭକ୍ତ ଚାହିଁ ବସିଛନ୍ତି।

ଏପରି ବିଶ୍ବସ୍ତରର ଉତ୍ସବକୁ ବନ୍ଦ କରାଯିବା ଉଚିତ ନୁହେଁ। ପୂର୍ବ ନିର୍ଦ୍ଧାରିତ ଜୁନ୍ ୨୩ରେ ରଥଯାତ୍ରା ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଯଦି କଟକଣା ନ ଉଠେ ତେବେ ରଥଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବକ, ପୁଲିସ ଅଧିକାରୀଙ୍କ କରୋନା ଭୂତାଣୁ ପରୀକ୍ଷା କରି ସେମାନଙ୍କୁ ଏଥିରେ ଅଂଶ ଗ୍ରହଣ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏହି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Comments are closed.