ପିହୁ ନିଖୋଜ ଘଟଣା: ୫ ଜଣଙ୍କୁ ଜେରା କରୁଛି ପୁଲିସ, ମା’କୁ ମିଳୁଛି ଧମକ

ବିଞ୍ଝାରପୁର: ବରୀ ବ୍ଲକ ତଥା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଦୁଇ ବର୍ଷର ଶିଶୁ କନ୍ୟା ପିହୁ ନିଖୋଜ ଘଟଣାକୁ ୮ ମାସ ବିତିଥିଲେ ମଧ୍ୟ ପୁଲିସ ଏ ଯାଏଁ ତା’ର ସନ୍ଧାନ ପାଇ ପାରୁନାହିଁ। ଅନ୍ଧାରରେ ବାଡି ବୁଲାଇବା ପରି ମାଳ ମାଳ ଲୋକଙ୍କୁ ଆଣି କେବଳ ପଚରା ଉଚୁରା କରୁଛି। ପୂର୍ବରୁ ଏହି ଘଟଣାରେ ପୁଲିସ ପିହୁର ମା’ ମୋନାଲିସାଙ୍କ ସମେତ ମୋନାଲିସାର ସ୍ୱାମୀ, ମଉସା, ମଉସା ପୁଅ ଭାଇ ଓ ଏକାଧିକ ଲୋକଙ୍କୁ ପଚରା ଉଚୁରା କରିଥିବା ବେଳେ ମଙ୍ଗଳବାର ପୁଲିସ ମୋନାଲିସାଙ୍କ ପଡୋଶୀ ପ୍ରଫୁଲ୍ଲ ନାୟକ, ସୁଶାନ୍ତ ନାୟକ, ସୁରେନ୍ଦ୍ର ନାୟକ, ମୂଷା ରଥ, ଦତ୍ତ ଦାଶ ପ୍ରମୁଖଙ୍କୁ ଡକାଇ ଜେରା କରୁଥିବା ଜଣାପଡ଼ିଛି। ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ ଅତିରିକ୍ତ ଏସ୍ପି ଏହି ଘଟଣାର ତର୍ଜମା କରିଥିଲେ।

ଏହା ମଧ୍ୟରେ ପିହୁର ପରିବାର ଲୋକଙ୍କ ଉପରେ ବିପଦ ରହିଥିବା ଥାନାରେ ଅଭିଯୋଗ କରାଯାଉଛି। ଦୁଇ ଦିନ ପୂର୍ବରୁ ରାତି ପ୍ରାୟ ୧୧.୩୦ ସମୟରେ ଦୁଇ ଜଣ ଯୁବକ ପିହୁର ମା’ ମୋନାଲିସାଙ୍କ ଘର ନିକଟରେ ଗାଳି ଗୁଲଜ କରିବା ସହିତ ଗାଁ ଛାଡି ଚାଲିଯିବାକୁ ଧମକ ଦେଇଥିଲେ। ଗୋଟେ ପଟେ ପୁଲିସର ତଦନ୍ତରେ ନିଷ୍କ୍ରିୟତା ଓ ଅନ୍ୟପଟେ ପିହୁର ମା’ ମୋନାଲିସାଙ୍କୁ ଏକାଧିକଥର ଧମକ ମିଳିବା ଘଟଣା ତମାମ ଘଟଣାକୁ ରହସ୍ୟମୟ କରୁଛି। ଘଟଣା ସମ୍ପର୍କରେ ଥାନା ଅଧିକାରୀ ନିରଞ୍ଜନ ଶବର କୁହନ୍ତି ଘଟଣାର ତଦନ୍ତ ଚାଲିଛି।

Comments are closed.