ପିହୁ ନିଖୋଜ ଘଟଣା, ମୋନାଲିସାଙ୍କୁ ଅଟକାଇଲା ପୁଲିସ

ବିଞ୍ଝାରପୁର/କଟକ: ନିଖୋଜ ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ ପିହୁର କୌଣସି ପତ୍ତା ମିଳୁନାହିଁ। ଗତକାଲି ସକାଳୁ ପିହୁର ମା’ ମୋନାଲିସା ନାୟକ ବସ ଯୋଗେ ବିଞ୍ଝାରପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ତାଙ୍କୁ କଟକଠାରେ ଚାଉଳିଆଗଞ୍ଜ ପୁଲିସ ଅଟକାଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ନିକଟରେ ହାଜର କରିଥିଲା। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ମୋନାଲିସାଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିିଥିଲେ। ଆସନ୍ତା ତିନି ଦିନ ମଧ୍ୟରେ ସ୍ୱତନ୍ତ୍ର ଟିମ ଗଠନ କରି ପିହୁ ନିଖୋଜ ଘଟଣାରେ କ୍ରାଇମବ୍ରାଞ୍ଚ ନିିଜ ପଟୁ ମନିଟରିଂ କରିବ ବୋଲି ଏଡିଜି କଥା ଦେଇଥିବା ମୋନାଲିସା ପ୍ରକାଶ କରିଛନ୍ତି। ଯଦି ତିନିଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ନିଜର କାର୍ୟ୍ୟକୁ ତ୍ୱାରାନ୍ୱିତ ନ କରେ ତେବେ ମୋନାଲିସା ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ନିଜର ୨ ବର୍ଷର ଶିଶୁ କନ୍ୟା ପିହୁ ନିଖୋଜ ଘଟଣାରେ ମାସ ମାସ ଧରି ନିରାଶ ହେବା ପରେ ନ୍ୟାୟ ପାଇଁ ବିଧାନସଭା ଅଭିମୁଖେ ଯାଉଥିବା ପିହୁର ମା’ ମୋନାଲିସାଙ୍କୁ ପୁଲିସ କଟକରୁ ଉଠାଇ ନେବା ଘଟଣା ସଭିଙ୍କୁ ଚକିତ କରିଛି। ପ୍ରଥମରୁ ପୁଲିସ ଏହି ଘଟଣାକୁ ଗୁରୁତ୍ୱ ଦେଇନଥିବା ବେଳେ କେବଳ ଏକ ନିଖୋଜ ମାମଲା ରୁଜୁ କରି ଚୁପ ରହିଥିଲା। ନୟାଗଡର ପରୀ ନିଖୋଜ ଓ ହତ୍ୟା ଘଟଣା ଲୋକଲୋଚନାକୁ ଆସିବା ପରେ ବିଞ୍ଝାରପୁରର ପିହୁ ଘଟଣାକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ତେବେ କ୍ରାଇମବ୍ରାଞ୍ଚ ଦେଇଥିବା ପ୍ରତିଶ୍ରୁତିକୁ କିଭଳି ପାଳନ କରୁଛି ତା’ ଉପରେ ସଭିଙ୍କର ନଜର ରହିଛି। ସବିଶେଷ ସୂଚନା ଅନୁଯାଇ କ୍ରାଇମବ୍ରାଞ୍ଚ ଏଡିଜି ପିହୁର ମା’ ମୋନାଲିସାଙ୍କ ସହିତ ଆଲୋଚନା କରିବା ପରେ କ୍ରାଇମବ୍ରାଞ୍ଚ ଓ ପୁଲିସ ଅଧିକାରୀ ମାନେ ଆଜି ସନ୍ଧ୍ୟାରେ ମୋନାଲିସାଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇବାକୁ କଟକରୁ ବାହାରିଥିବା ଜଣାପଡିଛି।

Comments are closed.