ବଣଭୋଜିରୁ ଫେରିଲା ବେଳେ ଦୁର୍ଘଟଣା; ୩ ଗୁରୁତର

0

ବଡ଼ମ୍ବା: ପିକନିକ ସାରି ଘରକୁ ଫେରୁଥବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ବଡ଼ମ୍ବା ଥାନା ଅନ୍ତର୍ଗତ ଖାରୋଡ଼ସ୍ଥିତ ମା’ମହାକାଳୀଙ୍କ ପୀଠରୁ ପିକନିକ ସାରି ବିନ୍ଧାଣିମାର ୭ ଜଣ ଏକ ବୋଲେରୋ ଯୋଗେ ଘରକୁ ଫେରୁଥିଲେ। ଦ୍ରୁତଗତିରେ ଆସୁଥିବା ଉକ୍ତ ବୋଲେରୋ ଭଟ୍ଟାରିକା ଛକର ଅଳ୍ପଦୂରରେ ସୁନାପାଳ ନିକଟରେ ଭାରସାମ୍ୟ ହରାଇ ଏକ ଆଖୁ ବୋଝେଇ ଟ୍ରକ୍‍ ପଛରେ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଗାଡ଼ିର ଛାତ ସମ୍ପୂର୍ଣ୍ଣ ଉଠିଯାଇ ଚୁରମାର ହୋଇଯାଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋରେ ବସିଥିବା ବିନ୍ଧାଣିମା ଗ୍ରାମର କାମାକ୍ଷା ଓରଫ ସନ୍ତୋଷ ବେହେରା, ସନ୍ତୋଷକୁମାର ସାହୁ, ରଞ୍ଜନ ସାହୁ, ବଟକୃଷ୍ଣ ମହାପାତ୍ରଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଭ୍ୟାନ ଯୋଗେ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେମାନଙ୍କ ମଧ୍ୟରୁ କାମାକ୍ଷା, ସନ୍ତୋଷ ଏବଂ ରଞ୍ଜନଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ
ଅଧିକ ଚିକିତ୍ସା ଲାଗି ସେମାନଙ୍କୁ କଟକ ପଠାଯାଇଛି। ସମସ୍ତ ଆହତଙ୍କ ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ଖବର ନେବା ସହ ସେମାନଙ୍କ ଆଶୁଆରୋଗ୍ୟ କାମନା କରିଥିବା ପ୍ରକାଶ।
ପିକନିକ୍‍ରୁ ଫେରିଲା ବେଳେ…

Leave A Reply