ବଣଭୋଜି ଆଶା ମଉଳିଲା

ସବୁଠି ପୁଲିସ ପହରା; ଧଉଳିରେ ୫ହଜାର ପର୍ଯ୍ୟଟକ

ଭୁବନେଶ୍ବର : ବଡ଼ଦିନରେ ପର୍ଯ୍ୟଟକଙ୍କ ଆଶା ମଉଳି ଯାଇଛି। ମନ୍ଦିର, ଚର୍ଚ୍ଚ ସବୁ ବନ୍ଦ ରହିଛି। ପର୍ଯ୍ୟଟନସ୍ଥଳରେ ବଣଭୋଜି, ନାଚଗୀତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। କୋଭିଡ କଟକଣା ସବୁଠି ବାଧକ ସାଜିଛି। ବଡ଼ଦିନରେ ପର୍ଯ୍ୟଟନସ୍ଥଳ ଖାଁ ଖାଁ ପରିଲକ୍ଷିତ ହୋଇଛି। କାଁ ଭାଁ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥିବାବେଳେ ସବୁଠି ପୁଲିସର କଡ଼ା ପହରା।
ପର୍ଯ୍ୟଟନସ୍ଥଳ ଧଉଳି ଓ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍‌ନାରେ କମିସନରେଟ ପୁଲିସ ଜଗିଥିବାବେଳେ ଧଉଳିରେ ବଣଭୋଜି ଫିକା ପଡ଼ିଛି। ସେହିପରି ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆସିବା ବହୁମାତ୍ରାରେ କମିଯାଇଛି। ବଡ଼ଦିନରେ ଧଉଳି ବସ୍‌ଷ୍ଟାଣ୍ଡରେ ଗାଡ଼ି ରଖିବାକୁ ଜାଗା ଅଭାବ ପଡୁଥିବା ବେଳେ ଏବର୍ଷ ମାତ୍ର ୫ଟି ଟୁରିଷ୍ଟ ବସ୍‌ ପର୍ଯ୍ୟଟକଙ୍କୁ ଧରି ଧଉଳି ଆସିଥିବା ଦେଖିବାକୁ ମିଳିଛି। ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଧଉଳି ବସ୍‌ଷ୍ଟାଣ୍ଡ ଖୋଲି ଦେବା ସହ ୫ଟି ସଟଲ ବସ୍‌ ପ୍ରାଥମିକ ପର୍ଯ୍ୟାୟରେ ଚାଲୁ କରିଛି। ଚଳିତ ବର୍ଷ ବଡ଼ଦିନରେ ଧଉଳି ଭ୍ରମଣରେ ମାତ୍ର ୫ହଜାର ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ହାଲୁକା ଯାନ ଚାଳକ ଗାଡ଼ିକୁ ପାର୍କିଂ ସ୍ଥଳରେ ନରଖି ପାନ୍ଥିକା ନିକଟରେ ଥିବା ଖାଲିସ୍ଥାନ ଓ ଧଉଳି ମୁଖ୍ୟ ରାସ୍ତା କଡ଼ରେ ପାର୍କିଂ କରିଥିଲେ। ଯାହାଫଳରେ ସେଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା।
ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଖାଁ ଖାଁ
ଶ୍ରୀଲିଙ୍ଗରାଜ ମନ୍ଦିର ୨୭ରେ ଖୋଲିବା ନେଇ ବିଏମ୍‌ସି ଘୋଷଣା କରିଛି। ତେବେ ବଡ଼ଦିନରେ ମନ୍ଦିର ସିଂହଦ୍ବାର ଖାଁ ଖାଁ ଦେଖିବାକୁ ମିଳିଛି। କେବଳ ମନ୍ଦିର ଆଗରେ ହାତଗଣତି ସେବାୟତ ଓ ପୁଲିସଙ୍କୁ ଛାଡ଼ିଦେଲେ ବାହାର ପର୍ଯ୍ୟଟକଙ୍କ ଦେଖିବାକୁ ମିଳିନି। ମନ୍ଦିର ଖୋଲିବା ନେଇ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଚାଲିଛି।
ଖଣ୍ଡଗିରି ଓ ଉଦୟଗିରି ବୁଲିଲେ ୩୦୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ
ବଡ଼ଦିନରେ ଖଣ୍ଡଗିରି ଓ ଉଦୟଗିରିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିନି। ବଣଭୋଜି ହୋଇନଥିବା ବେଳେ ପର୍ଯ୍ୟଟକ କେବଳ ଗୁମ୍ଫା ଭ୍ରମଣ କରି ଫେରିଛନ୍ତି। ବଡ଼ଦିନ ପାଇଁ ଉଦୟଗିିରିରେ ୮୩୩ ଏବଂ ଖଣ୍ଡଗିରିରେ ୨୦୦୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଭ୍ରମଣ କରିଛନ୍ତି।
ସେହିପରି ଜୟଦେବ ବାଟିକାରେ ବଡ଼ଦିନ ପାଇଁ ୧୭୫୬ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ଦାୟିତ୍ବରେ ଥିବା ଅଧିକାରୀ ଦୟାନିଧି ଦାଶ କହିଛନ୍ତି ଯେ, ଜାନୁଆରୀ ୩ ତାରିଖ ପରେ ହିଁ ଏଠାରେ ବଣଭୋଜି ପାଇଁ ନିଷ୍ପତ୍ତି ନିଆଯିବ।

Comments are closed.