ଜୀବନକୁ ବାଜି ଲଗାଇ ସ୍ବାଧୀନତା ଦିବସ ପାଳିବା ପାଇଁ ବିଦ୍ୟାଳୟରେ ପହଞ୍ଚିଲେ ଶିକ୍ଷକ

ଫୁଲବାଣୀ,କ.ନୂଆଗାଁ : ସ୍ୱାଧୀନତା ଦିବସ ପାଳନ ପାଇଁ କିଛି ଶିକ୍ଷକ ନିଜ ଜୀବନକୁ ବାଜିରେ ଲଗାଇ ବିଦ୍ୟାଳୟରେ ପହଞ୍ଚି ଥିବା ଜଣାପଡ଼ିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସ୍ୱାଧୀନତା ଦିବସ ଅବସରରେ।
କନ୍ଧମାଳ ଜିଲାର ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ନାହିଁ ସବୁ ଦିନିଆ ରାସ୍ତା। ତେବେ ଅନେକ ମୌଳିକ ସମସ୍ୟା ମଧ୍ୟରୁ କନ୍ଧମାଳ ଜିଲାର ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ ଓ ପାଣି ସମସ୍ୟା। ମୌଳିକା ସୁବିଧାର ବର୍ଷ ବର୍ଷ ଧରି ବଂଚିତ ହୋଇ ରହିଛନ୍ତି ଗୁଞ୍ଜିବାଡ଼ି ପଞ୍ଚାୟତର ବଦାଲି , ମିନାମିଳୁ , ଶ୍ରକପାଙ୍ଗା ଓ ଡ଼ାକଲି ବଗାଡ଼ି ଆଦି ଗ୍ରାମର ୪୦ ଆଦିବାସୀ ପରିବାର। ଏହି ସବୁ ଗ୍ରାମରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ବଗାଲି ଠାରେ ପ୍ରତିଷ୍ଠା ହୋଇଛି ଏକ ପ୍ରାଥମିକ ବିଦ୍ୟାଳୟ। ତେବେ ଏହି ବିଦ୍ୟାଳୟକୁ ଯିବାକୁ ହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ବଗାଡ଼ି ନଦୀ ପାର ହୋଇ ଯିବାକୁ ହୋଇଥାଏ। ସ୍ବାଧୀନତା ଦିବସ ପାଳନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲାଲୁ ପ୍ରଧାନଙ୍କ ସମେତ ସରକାରୀ ଶିକ୍ଷକ ହେମନ୍ତ ପ୍ରଧାନ ଓ ମହିଳା ଶିକ୍ଷୟିତ୍ରୀ ରୋଜାଲିନ୍ ପ୍ରଧାନ ମଧ୍ୟ ନଦୀ ପାର ହୋଇ ବିଦ୍ୟାଳୟରେ ପହଞ୍ଚିବା ସହିତ ଗ୍ରାମବାସୀଙ୍କ ସହଯୋଗରେ କୋଭିଡ଼ ଗାଇଡ଼୍ ଲାଇନ୍ ମାନି ଜାତୀୟ ପତାକା ଉତ୍ତୋଳନ କରିଥିବା ଜଣାପଡ଼ିଛି।
ଗତ କିଛିଦିନ ହେଲା କନ୍ଧମାଳ ଜିଲାରେ ଲଗାଣ ବର୍ଷ ଲାଗିରହିଥିବା ଯୋଗୁଁ ସମସ୍ତ ପ୍ରାୟ ନଦୀରେ ବର୍ଷାଜଳ ଅଧିକ ରହିଥିବାର ଦେଖାଯାଇଛି। ନିର୍ଦ୍ଦାରିତ ସମୟ ପୂର୍ବରୁ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ସଭାପତି ପହଞ୍ଚିବା ପରେ ବଗାଡି ଗ୍ରାମର ବୁଦ୍ଧିଜୀବି ଜାକୋବ ପ୍ରଧାନ , ଅଙ୍ଗନୱାଡ଼ି ହେଲପର ସୁଲୋଚନା ପ୍ରଧାନ , ଆଶା ଦିଦି ପ୍ରିୟତମ ପ୍ରଧାନ ପ୍ରମୁଖ ମିିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଛାତ୍ରଛାତ୍ରୀଙ୍କ ବିନା ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଥିବାବେଳେ ବର୍ତ୍ତମାନ ନଦୀରେ ଅକାତକାତ ପାଣିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ , ସଭାପତ ଓ ସହକାରୀ ଶିକ୍ଷକମାନେ ଜୀବନକୁ ପାଣି ଛଡାଇ ଭାବେ ବେକେ ପାଣିରେ ନଦୀର ଗୋଟେ ପଟରୁ ଆଉ ଗୋଟିଏ ପଟକୁ ଭିଡ଼ା ହୋଇଥିବା ତାର ଧରି ବିଦ୍ୟାଳୟରେ ପହଁଚି ଜାତୀୟ ପତାକା ଉତ୍ତୋଳନ କରିଥିବା ଯୋଗୁଁ ଗ୍ରାମବାସୀମାନେ ମଧ୍ୟ ସାବାସି ଦେଇଛନ୍ତି। ଏହି ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳକୁ କେହି ପ୍ରଶାସନିକ ଅଧିକାରୀ ଗସ୍ତ କରୁନଥିବା ବେଳେ ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବାରୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଏଭଳି ଭାବେ ଜୀବନ ସହିତ ବାଜି ଲଗାଇ ରହିଛନ୍ତି ଗ୍ରାମବାସୀମାନେ।