ଜଳ ନିଷ୍କାସନ ପଥ ଅବରୋଧ; ୩୦ ପରିବାର ଜଳବନ୍ଦୀ

ଫୁଲନଖରା : ସିଏମସି ୫୬ ନମ୍ବର ୱାର୍ଡ଼ ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ୩୦ଟି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିବା ଦେଖାଯାଇଛି। ସାମ୍ପ୍ରତିକ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଉଦବୃତ୍ତ ଜଳ ରାଶି ନିଷ୍କାସନ ହୋଇନପାରି ଏପରି ସମସ୍ୟା ସୃଷ୍ଟି ହୋଇଥିବାଚୁହାଯାଉଛି। ପୁରାତନ କାଡ଼ା ନାଳୀ ଜବର ଦଖଲ ଓ ବର୍ଷା ପାଣି ନିଷ୍କାସନ ପଥ ଅବରୋଧ ହେବାରୁ ଏହି ଅଭାବନୀୟ ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅମଣିଆପାଟଣା, ବେହେରାସାହି ଓ କାଜିପାଟଣା ଅଞ୍ଚଳରୁ ବର୍ଷା ପାଣି ଆସି ସୁଭଦ୍ରାପୁର ହନୁମାନଛକ ମଧ୍ୟ ଦେଇ ନୟନଜୋରୀ ବାଟେ ବାଲିକୁଦା, ଗୋପାଳପୁର ଓ ଉରଳୀ ଗହୀର ମଧ୍ୟରେ ସିଢ଼ୁଆ ନଦୀକୁ ନିଷ୍କାସନ ହୋଇଥାଏ। ମାତ୍ର ତାହା ସବୁ ଦିଗରୁ ଅବରୋଧ ହେବାରୁ ବର୍ଷା ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି। ନୟନଯୋରୀ ଉପରେ ଦୋକାନ ଓ ମନ୍ଦିର ଇତ୍ୟାଦି ନିର୍ମାଣ ଓ ହନୁମାନ ଛକଠାରୁ ସୁଭଦ୍ରାପୁର କାଳୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା କାଡ଼ା ନାଳୀକୁ ପୋତି ସେଥିରେ ଢଳେଇ ରାସ୍ତା ନିର୍ମାଣ ସହିତ ଜନ ବସତି ଗଢ଼ିଉଠିବାରୁ ଆଜି ଏପରି ଅବସ୍ଥା ଭୋଗିବାକୁ ପଡ଼ୁଛିବୋଲି ଅନେକ କହିଛନ୍ତି।

ବର୍ତ୍ତମାନ ସୁଭଦ୍ରାପୁର ଅଞ୍ଚଳର ୩୦ରୁ ଊର୍ଦ୍ଧ୍ବ ପରିବାର ୫ଦିନ ହେଲା ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତ ବର୍ଷ ଠିକ ଏହି ସମୟରେ ଅନୁରୂପ ସମସ୍ୟା ସୃଷ୍ଟି ହେବାରୁ ସିଏମସି କମିଶନର ଅଗଷ୍ଟ ୨ତାରିଖରେ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ ଏକ ପାଣି ପମ୍ପ ଯୋଗାଇଦେଇଥିଲେ ଏବଂ ତଦ୍ୱାରା ଜଳ ନିଷ୍କାସନ କାର୍ଯ୍ୟ ସମ୍ଭବ ହୋଇଥିଲା। ମାତ୍ର ଏବେ ସେହି ଅବସ୍ଥାର ପୁନରାବୃତ୍ତି ହୋଇଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏପରିକି ସହରାଞ୍ଚଳର କୌଣସି ସ୍ଥାନରେ ବର୍ଷା ପାଣି ଯେପରି ଜମି ନରହେ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି; ହେଲେ ଏଠାରେ ତା’ର ବ୍ୟତିକ୍ରମ ଦେଖାଦେଇଛି। କଟକ ପୌର ନିଗମ ପକ୍ଷରୁ ତୁରନ୍ତ ସୁଭଦ୍ରାପୁର ଅଞ୍ଚଳକୁ ଏକ ଜଳ ନିଷ୍କାସନ ପମ୍ପ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.