ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ଉପରେ ଗୁରୁତ୍ୱ

ଫୁଲବାଣୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କଲ୍ୟାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରଭାକର ସାହୁ, ଡି.ପି.ଏମ୍‌ ମନୋରଂଜନ ସାହୁ, ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଅଶୋକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ମ୍ୟାଲେରିଆର ବ୍ୟାପକତା ଓ ଏହାର ନିରାକରଣ ଉପରେ ମତ ରଖିଥିଲେ । ମଶାର ବ୍ୟବହାର ତଥା ରୋଗୀର ତତ୍ୱାବଧାନ ଉପରେ ବକ୍ତା ମାନେ ଗୁରୁତ୍ୱ ଆରୋପ କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମ୍ୟାଲେରିଆ ସଂପର୍କିତ ସଚେତନତା ସୃଷ୍ଟି ଉପରେ ଜୋର ଦିଆଯିବା ଦରକାର ବୋଲି ମତ ରଖିଥିଲେ ବକ୍ତା ।

ଜିଲ୍ଲାରେ ବର୍ତ୍ତମାନର ସ୍ଥିତି ସଂପର୍କରେ ସୂଚନା ଦିଆଯିବା ସହ ଆଗାମୀ ଦିନରେ କନ୍ଧମାଳ ଜିଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । କନ୍ଧମାଳ ଜିଲାରେ ମ୍ୟାଲେରିଆ ଏବେ ନିୟନ୍ତ୍ରଣରେ ଥିଲେ ବି ମୃତ୍ୟୁହାର ଶୂନ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିବା ପ୍ରକାଶ କରାଯାଇଥିଲା । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ବେସରକାରୀ ଅନୁଷ୍ଠାନ ମାନଙ୍କର ମଧ୍ୟ ଭୂମିକା ରହିଛି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ  ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ ।

Comments are closed.