ବନ୍ଧୁକ ମୂନରେ ଡକାୟତି ଉଦ୍ୟମ, ଜଣେ ଗିରଫ

ଫୁଲବାଣୀ:ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ କରିବା ଅଭିଯୋଗରେ ଫୁୁଲବାଣୀ ଟାଉନ ଥାନା ପୁଲିସ ଜଣେ ଦୁର୍ବୁତ୍ତକୁ ଗିରଫ କରିଛି। ଘଟଣାରେ ସଂପୃକ୍ତ ଅନ୍ୟଜଣେ ଫେରାର ଥିବା ପୁଲିସ ପ୍ରକାଶ କରିଛି। ସୂଚନା ପ୍ରକାରେ, ଖଜୁରୀପଡା ଥାନା ଦୁତିପଡା ପଞ୍ଚାୟତ ମେକାନୀ ସାହିର କାହ୍ନୁଚରଣ ବେହେରା ଶୁକ୍ରବାର ସଂଧ୍ୟାବେଳେ ନିଜ ବାଇକରେ ଫୁଲବାଣୀ ଆସିଥିବା ବେଳେ ସ୍ଥାନୀୟ ଏଫସିଆଇ ଛକଠାରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇ ମାଡ ମାରିବା ସହ ଟଙ୍କା ମାଗିଥିଲେ। ସେ ଟଙ୍କା ନ ଦେବାରୁ ଜଣେ ଦୁର୍ବୁତ୍ତ ତାଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ଜୀବନରେ ମାରିଦେବାର ଧମକ ଦେଇଥିଲା। ଏହି ସମୟରେ କାହ୍ନୁ ତାଙ୍କ ମୋବାଇଲ ବାହାର କରି ଫୋନ କରିବାକୁ ଉଦ୍ୟମ କରିବାରେ ଦୁର୍ବୁତ୍ତମାନେ ତାଙ୍କ ମୋବାଇଲ ଫୋନ ଛଡାଇ ନେଇ ପାଖରେ ଥିବା ଜଙ୍ଗଲ ମଧ୍ୟକୁ ଧାଇଁ ପଳାଇ ଯାଇଥିଲେ ବୋଲି ସେ ପୁଲବାଣୀ ଟାଉନ ଥାନାରେ ଦେଇଥିବା ଏତାଲାରେ ଦର୍ଶାଇଛନ୍ତି।

 

ଟାଉନ ପୁଲିସ କାହ୍ନୁଙ୍କ ଏତଲା ଆଧାରରେ କେସ ନଂ ୭୦/୨୧ ରୁଜୁ କରି ଅଭିଯୁକ୍ତ ଫୁଲବାଣୀ ଶଗଡିଆ ସାହିର କାହ୍ନୁ ଚରଣ ନାୟକକୁ ଗିରଫ କରିଛି। ଅଭିଯୁକ୍ତର ସୂଚନା ଆଧାରରେ ପୁଲିସ ସହର ଉପକଣ୍ଠ ସାଧନ ଛକ ନିକଟରେ କାହ୍ନୁ ଓ ତାର ସହ୍େୟାଗୀ ଲୁଚାଇ ରଖିଥିବା ବନ୍ଧୁକ ସହ ୫ଟି ଗୁଳି ଓ ମୋବାଇଲ ଫୋନ ଜବତ କରିଛି। ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ଏହି ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଏଭଳି ଅପରାଧରେ ସଂପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୁଲିସ କହିଛି। ଗିରଫ କାହ୍ନୁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ଜାମିନ ନାମଂଜୁର ହେବାରୁ ଜେଲ ପଠାଇ ଦିଆଯାଇଛି।

Comments are closed.