ବିକାଶ ନକ୍ସାରେ ନାହିଁ ମାଓ ଅଧ୍ୟୁଷିତ ସୁମେରବନ୍ଧ ମୌଳିକ ସେବା ସାତ ସପନ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ ଯୋଜନାରେ ଆଦିବାସୀ ଅଞ୍ଚଳର ବିକାଶ ହୋଇଥିବା ସରକାର କହୁଥିବା ବେଳେ କନ୍ଧମାଳ ଜିଲାର ଏଭଳି ଅନେକ ଅଞ୍ଚଳରେ ବିକାଶ କେବଳ କାଗଜ କଲମରେ ରହିଛି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଳକର ମାଓ ଅଧ୍ୟୁଷିତ ସୁମେରବନ୍ଧ ପଞ୍ଚାୟତ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ପଞ୍ଚାୟତରେ ବିକାଶ ଆଣ୍ଠେଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନଗମନ ଏବେ ବି ଅଞ୍ଚଳବାସୀଙ୍କ ପାଇଁ ସାତସପନ। ମାଓବାଦୀଙ୍କ ଭୟରେ ବିକାଶ ଏଠି ବାଟବଣା। ପଞ୍ଚାୟତରେ ନା’ ଅଛି ପିଇବା ପାଣିର ସୁବିଧା, ନା’ ସ୍ୱାସ୍ଥ୍ୟ କିମ୍ବା ଗମନାଗମନର ବ୍ୟବସ୍ଥା। ବଣ ପାହାଡ ଘେରା ଏହି ଅଞ୍ଚଳ ଗତ ପଞ୍ଚାୟତ ନିର୍ବାଚନଠାରୁ ନୂତନ ପଞ୍ଚାୟତର ମାନ୍ୟତା ପାଇଛି। ଇତି ମଧ୍ୟରେ ତିନିବର୍ଷରୁ ଅଧିକ ସମୟ ବିତିଗଲାଣି; କିନ୍ତୁ ନିର୍ବାଚିତ ଲୋକ ପ୍ରତିନିଧିମାନେ ଅଞ୍ଚଳର ବିକାଶ ପାଇଁ ଚିନ୍ତା କରିନାହାନ୍ତି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ବ୍ଲକ ମୁଖ୍ୟାଳୟଠୁ ୨୫ କିମି ଦୂର ସୁମେରବନ୍ଧ ପଞ୍ଚାୟତ ୧୧ଟି ୱାର୍ଡ଼ର ଛୋଟବଡ଼ ୨୪ ଟି ଗ୍ରାମକୁ ନେଇ ଗଠିତ।

ହାତ ଗଣତି ୩ଟି ଗ୍ରାମକୁ ଛାଡ଼ିଦେଲେ ପ୍ରାୟ ସବୁ ଗାଁ ମାଓ ଅଧ୍ୟୁଷିତ। ମାଓ ଭୟରେ ପଞ୍ଚାୟତ ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ଗ୍ରାମରେ ପହଞ୍ଚିପାରିନାହିଁ। ପଞ୍ଚାୟତର ଅନେକ ଗ୍ରାମକୁ ସବୁ ଦିନିଆ ରାସ୍ତା ନାହିଁ। ପଥୁରିଆ ଓ ପାଦ ଚଲା ରାସ୍ତାହିଁ ଏକମାତ୍ର ଭରସା। ପଞ୍ଚାୟତରେ ଟେଲି ଯୋଗାଯୋଗ ସୁବିଧା ନାହିଁ। ଆମ୍ବୁଲାନ୍ସ କିମ୍ବା ଦମକଳ ଭଳି ଜରୁରୀ ସେବା ଖୋଜିବା ବୃଥା। ସୁମେରବନ୍ଧ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ମିଙ୍ଗୁନପଦରରେ ନିର୍ମାଣ କରାଯାଉଛି। ଆଜକୁ ପ୍ରାୟ ୩ ବର୍ଷ ହେବ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କାମ ଶେଷ ହୋଇ ପାରୁନାହିଁ। ଫଳରେ ହିତାଧିକାରୀ ରେସନ କାର୍ଡ଼ରେ ଚାଉଳ କିମ୍ବା ଅନ୍ୟ ସାମଗ୍ରୀ ନେବାକୁ ବଣ ଜଙ୍ଗଲପୂର୍ଣ୍ଣ ଦୀର୍ଘ ରାସ୍ତା ଅତିକ୍ରମ କରି ନିକଟସ୍ଥ ସାଡିଙ୍ଗିଆ ପଂଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି। ଗତ ସାଧାରଣ ନିର୍ବାଚନରେ ରିବିଲଦା ଓ ସୁମେରବନ୍ଧ ରାସ୍ତାରେ ମାଓବାଦୀମାନେ ଦୁଇଟି ପୋଲିଂ ଗାଡିକୁ ଜାଳିଦେଇଥିଲେ। ସେହି ଦିନଠାରୁ ଏ ଅଞ୍ଚଳବାସୀ ଭୟଭୀତ ଥିବା ସହ ପ୍ରଶାସନିକ ଅଧିକାରୀ ବି ଡରୁଛନ୍ତି। କୌଣସି ପ୍ରଶାସନିକ ଅଧିକାରୀ ପଞ୍ଚାୟତକୁ ଯିବାକୁ ରାଜି ହେଉ ନାହାନ୍ତି। କିଛିମାସ ହେଲା ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉଦ୍ୟମ ଯୋଗୁ ସୁମେରବନ୍ଧ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମିନି ମୋବାଇଲ ଟାୱାର ନିର୍ମାଣ ପାଇଁ ପୋଲ ପୋତା ସରିଛି। ଖୁବ୍‌ କମ୍‌ ଦିନ ମଧ୍ୟରେ ଏହି ମୋବାଇଲ ଟାୱାର ଚାଲୁହେବା ଆଶା ରହିଛି। ଅନ୍ୟପଟେ ମାଓ ଦମନ ପାଇଁ କନ୍ଧମାଳର ପୂର୍ବତନ ଆରକ୍ଷୀ ଅଧୀକ୍ଷକ ଓ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଉଦ୍ୟମରେ ସୁମେରବନ୍ଧ ପଞ୍ଚାୟତ ଓ ସାଡିଙ୍ଗିଆ ପଞ୍ଚାୟତ ସୀମା ମଧ୍ୟଭାଗରେ ମାଓବାଦୀଙ୍କୁ ଚେକ୍ ଦେବା ପାଇଁ କଟାପଙ୍ଗାଠାରେ କିଛି ଦିନ ହେଲା ଏକ ସିଆରପିଏଫ କ୍ୟାମ୍ପ ନିର୍ମାଣ କରାଯାଇଛି। ତେବେ ମାଓ ଭୟରେ ହେଉ କିମ୍ବା ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବରୁ ବର୍ଷବର୍ଷ ଧରି ସୁମେରବନ୍ଧର ବିକାଶ ବାଟବଣା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମୌଳିକ ସେବା …

Comments are closed.