ଶବଦାହ ପାଇଁ ମିଳୁନି କାଠ, ୩ ଦଫା ଦାବି ନେଇ କନ୍ଧମାଳ ଜିଲାପାଳଙ୍କୁ ଦାବିପତ୍ର 

ଫୁଲବାଣୀ:କନ୍ଧମାଳ ଜିଲା ଫୁଲବାଣୀ ସଦରମହକୁମା ଠାରେ ଥିବା କାଠ ଡିପୋରେ ଏବେ ଶବଦାହ ପାଇଁ କାଠ ମିଳୁନାହିଁ। ଗତ ୩ ମାସ ହେଲା କାଠ ମିଳୁନଥିବା ବେଳେ ସାଧାରଣ ଜନତା ଶବଦାହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କନ୍ଧମାଳ ଜିଲା ଏକ ଜଙ୍ଗଲପୂର୍ଣ୍ଣ ଜିଲା ଭାବେ ପରିଚିତ ଥିବା ବେଳେ ଗତ ଦିନରେ ଓ ନିକଟରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସବୁଆଡ଼େ ବଡ଼ ବଡ଼ ଗଛପଡ଼ିଥିଲା। କିନ୍ତୁ ସେହିସବୁ ଗଛଗୁଡ଼ିକ ଏବେ ଆଉ ଦେଖାଯାଉନାହିଁ। ପୂର୍ବରୁ ବିଭିନ୍ନ ମହଲରେ ତୁରନ୍ତ ଡ଼ିପୋରେ କାଠ ରଖିବା ପାଇଁ ଦାବି ହେଉଥିବା ବେଳେ ଆଜି ଜିଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ସହରର ୩ଟି ଦାବି ପୁରଣ ପାଇଁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛି। ସହରରେ କାଠ ମିଳୁନଥିବାରୁ ଶବ ସତ୍କାର ବେଳେ ଆତ୍ମୀୟବର୍ଗ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଣୁ ଏହାର ସମାଧାନ ପାଇଁ ସହରରେ ଏକ ବୈଦୁତିକ ଶବଦାହ ଚୁଲା ପ୍ରତିଷ୍ଠା କରିବା, ସହର ମଧ୍ୟ ଦେଇ ଯାଇଥିବା ପିଲାସାଲୁଙ୍କି ନଦୀର ଜଳ ସହରବାସୀ ବ୍ୟବହାର ଥିବା ବେଳେ ସମସ୍ତ ନାଳ ନର୍ଦ୍ଦମାର ପାଣି ସାଲୁଙ୍କି ନଦୀରେ ସିଧାସଳଖ ପଡି ଏହାକୁ ଦୁଷିତ କରୁଛି। ତେଣୁ ଯେପରି ନାଳନର୍ଦମା ଜଳ ପିଲାସାଲୁଙ୍କି ନଦୀରେ ନମିଶିବ ତାହାର ସ୍ଥାୟୀ ସମାଧାନ କରିବା ଏବଂ ସହରର ରାସ୍ତାରେ ଦିନ ରାତି ବୁଲା ଗୋରୁଗାଈଙ୍କୁ ହଟାଇବାକୁ ସ୍ଥାୟୀ ସମାଧାନ ପ୍ରମୁଖ ଦାବି କରିଛି ଯୁବ କଂଗ୍ରେସ। ଏକ ମାସ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନ ନେଲେ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହି ଦାବିପତ୍ରରେ କୁହାଯାଇଛି।

Comments are closed.