୧୫ ଲକ୍ଷ ଟଙ୍କାର ଗଂଜେଇ ଜବତ; ୨ ଗିରଫ, ଟ୍ରକ୍‍ ଜବତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ୍‍କୁ ମିଳିଛି ଏକ ବଡ଼ ସଫଳତା। ଅତ୍ୟାବଶ୍ୟକ ସାମଗ୍ରୀ ବୋହିବା ବାହାନାରେ ଏକ ୧୦ ଚକିଆ ଟ୍ରକରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛି ପୁଲିସ୍‍ ହାତରେ। ଏହି ଘଟଣା ସମଗ୍ର ଫିରିଙ୍ଗିଆରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ପୁଲିସ୍‍ ଉକ୍ତ ଟ୍ରାକୁରୁ ୪୮୧ କେଜି ଗଂଜେଇ ଜବତ କରିବା ସହିତ ମାମଲାରେ ୨ ଜଣକୁ ଗିରଫ କରିଛି। ଏଥି ସହିିତ ୧୦ ଚକିଆ ଟ୍ରାକ୍‍ ନମ୍ବର ଓଆର୍‍-୨୩ଡ଼ି-୯୮୯୨କୁ ମଧ୍ୟ ଜବତ କରିଛି। ଗିରଫ ୨ ଜଣ ହେଲେ ଗଂଜାମ ଜିଲା ବ୍ରହ୍ମପୁର ଗୋସାଣିନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ପୋସ୍ତ ଗ୍ରାମର ପ୍ରକାଶ ପ୍ରଧାନ (୫୨) ଓ ଅନ୍ୟଜଣେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଙ୍ଗନାପାଟଣା ଗ୍ରାମର ବ୍ରଜ କିଶୋର ଡ଼ାକୁଆ ବୋଲି ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି।
ଖବର ପ୍ରକାରେ,କୌଣସି ପ୍ରକାର ଖବର ପାଇ କନ୍ଧମାଳ ଏସ୍‍.ପିଙ୍କ ନିର୍ଦ୍ଦେଶ ପ୍ରକାରେ ଫୁଲବାଣୀ ସଦର ଏସ୍‍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ରୀ ରାଓ ଏବଂ ଏସ୍‍.ଆଇ ଦଶରଥ ହେମବ୍ରମ ଓ ଅନ୍ରମାନେ ୩୦ ତାରିଖ ସକାଳ ପ୍ରାୟ ୭ଟା ସମୟରେ ବାଲକିଡ଼ାଡ଼ି ଅଞ୍ଚଳରେ ତନଖି କରିଥିଲେ। ତନଖୀ ବେଳେ ବାଲକିଡ଼ାଡ଼ି ରାସ୍ତାଦେଇ ଆସୁଥିବା ଉପରୋକ୍ତ ଟ୍ରକକୁ ଯାଞ୍ଚ ବେଳେ ଅତି ଚତୁରତାର ସହିତ ୧୦ ଗୋଟି ଜରି ବସ୍ତାରେ ଗଂଜେଇ ଚାଲାଣ କରାଯାଉଥିଲା। ଗିରଫ ୨ ଜଣ ଉକ୍ତ ଗଂଜେଇକୁ କଟକ ଜିଲାର ଆଠଗଡ଼କୁ ନେଉଥିବାର ତଦନ୍ତ ବେଳେ ପ୍ରକାଶ କରିଛନ୍ତି। ଜବତ ୧୦ଟି ବସ୍ତାକୁ ଓଜନ ବେଳେ ସେଥିରେ ୪୮୧ କେଜି ଗଂଜେଇ ଥିବା ଓ ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁଷ୍ଠିତ ପ୍ରେସ୍‍ ବିବୃତ୍ତିରେ କୁହାଯାଇଛି। ଫିରିଙ୍ଗିଆ ତହସିଲଦାର ଶ୍ରୀମତି ପୁନମ ରାଉତଙ୍କ ଉପସ୍ଥିତିରେ ଜବତ ଗଂଜେଇ ଓଜନ କରାଯାଇଥିଲା। ତେବେ ଗିରଫ ୨ ଜଣକ ମଧ୍ୟରୁ ଗାଡ଼ିର ଚାଳକ ହେଉଛନ୍ତି ପ୍ରକାଶ ପ୍ରଧାନ ବୋଲି ଥାନା ଅଧିକାରୀ ବିବୃତ୍ତିରେ ଜଣାଇଛନ୍ତି। ଏନେଇ ଫିରିଙ୍ଗିଆ ଥାନାରେ କେସ ନଂ ୬୫/୨୦ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଗିରଫ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.