MEllora 950×100

ବଧୂ ସାଜିବେ ଦୁଇ ମହିଳା ମାଓବାଦୀ; ଆଜି ବାହାଘର

ଫୁଲବାଣୀ: ସରକାରଙ୍କ ଆକର୍ଷଣୀୟ ପ୍ୟାକେଜରେ ଆକର୍ଷିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମନ ବଳାଇ ୨ ମହିଳା ମାଓବାଦୀ ନନ୍ଦିନୀ ଓ କରୁଣା କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ସେ ଦୁହେଁ ଅବିବାହିତ ଥିବାରୁ ସେମାନଙ୍କୁ ପୁଲିସ ସହଯୋଗରେ ରବିବାର ବିବାହ କରାଯାଉଛି। ଏଥିପାଇଁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି। ବେଦି ସାଜସଜ୍ଜାଠୁ ଆରମ୍ଭ କରି ବିବାହ ସାମଗ୍ରୀ, ବରଯାତ୍ରୀ ସ୍ୱାଗତ ସହ ଭୋଜିଭାତ ବ୍ୟବସ୍ଥା ହୋଇଛି। ପୁଲିସ ରିଜର୍ଭ ପଡ଼ିଆରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଏହି ଦୁଇଜଣଙ୍କ ବିବାହ ହେବ। କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏସବୁ ଆୟୋଜନ କରିଛି। ବିବାହ ଭୋଜିଠୁ ଆରମ୍ଭ କରି ଲୁଗାପଟା, ଯାନୀ ଯୌତୁକ କିଛି ଦେବାର ବ୍ୟବସ୍ଥା ମଧ୍ୟ କରିଛି ପୁଲିସ। କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳର ଵିନୋଦଙ୍କ ସହ ନନ୍ଦିନୀଙ୍କ ବିବାହ ହେବାକୁ ଥିବା ବେଳେ କରୁଣା ଜି. ଉଦୟଗିରି ସପ୍ନେଶ୍ୱରଙ୍କୁ ବିବାହ କରିବେ। ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ କନ୍ଧମାଳ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ।

Comments are closed.