ଦୁଇମାସ ହେଲା ଅନ୍ଧାରରେ ମାଲେବାଡ଼ି ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ବିଦ୍ୟୁତ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ୱହୀନତା କାରଣରୁ ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଂଚାୟତ ଅନ୍ତର୍ଗତ ମାଲେବାଡ଼ି ଗ୍ରାମବାସୀ ପ୍ରାୟ ଦୁଇମାସ ହେବ ଅନ୍ଧାରରେ ଜୀବନଯାପନ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଗ୍ରାମବାସୀମାନେ ଜଣାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା କର୍ତୁପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଗତ ଜୁନ ମାସ ୫ତାରିଖରୁ ମାଲେବାଡ଼ି ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅଚଳ ହୋଇଯାଇଥିଲା। ଏନେଇ ଗ୍ରାମବାସୀମାନେ ଜୁନ ମାସ ୬ତାରିଖରେ ଦାରିଙ୍ଗବାଡ଼ି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଲିଖିତ ଭାବରେ ଜଣାଇଥିଲେ। ତେବେ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିବା ଜଣାପଡ଼ିଥିବା ବେଳେ ଗ୍ରାମବାସୀମାନେ ବକେୟା ବିଦ୍ୟୁତ ବିଲ ପୈଠ କରିବା ପରେ କିଛି ଦିନ ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଗ୍ରାମରେ ଲଗାଇ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ବିଭାଗ ତରଫରୁ ଗ୍ରାମବାସୀଙ୍କୁ କୁହାଯାଇଥିଲା। ତେବେ ଦୀର୍ଘ ଦିନ ଯିବା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଆଜିକାଲି କହିକହି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି କିନ୍ତୁ କୌଣସି ପଦକ୍ଷପ ଗ୍ରହଣ କରିନାହାନ୍ତି। ଯାହା ଫଳରେ ଗ୍ରାମବାସୀମାନେ ବର୍ତ୍ତମାନ ଅନ୍ଧାରରେ ରହୁଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଟ୍ରାନ୍ସଫର୍ମରଟି ଅଚଳ ହୋଇଯାଇଛି କହିବା ସହିତ ସେ ଏନେଇ ଫୁଲବାଣୀ ସହକାରୀ ଯନ୍ତ୍ରୀଙ୍କୁ ଜଣାଇଛନ୍ତି। ଜିଲ୍ଲାରେ ମଧ୍ୟ ଟ୍ରାନ୍ସଫର୍ମରର ଅଭାବ ରହିଛି ସେଠାରୁ ଟ୍ରାନ୍ସଫର୍ମର ଆସିଲେ ଗ୍ରାମରେ ଲଗାଇ ଦିଆଯିବ ବୋଲି କହିଥିଲେ। ତେବେ ପ୍ରାୟ ଦୁଇ ମାସ ହେବ ଟ୍ରାନ୍ସଫର୍ମରଟି ଅଚଳ ହୋଇଥିବା ଯୋଗୁଁ ତୁରନ୍ତ ଟ୍ରାନ୍ସଫର୍ମର ଗ୍ରାମକୁ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.