ପୁଲିସ ଏ.ଏସ୍.ଆଇଙ୍କ ସହ ବନ୍ଧୁତା କରି ବାଇକ୍ ଲୁଟି ନେଲା ଲୁଟେରା

ଜଙ୍ଗଲରୁ ଗାଡ଼ି ସହିତ ଅଭିଯୁକ୍ତ ଗିରଫ

ଫୁଲବାଣୀ : ପୁଲିସ୍‍ ସାଥିରେ ବନ୍ଧୁ ବାନ୍ଧି ଶେଷରେ ଲୁଟିନେଲା ଏକ ବାଇକ୍‍। ଆଜି କୋଟଗଡ଼ ପୁଲିସ୍‍ ବାଇକ୍‍ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଘଟଣା ସମଗ୍ର କୋଟଗଡ଼ରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚିପନଗ୍ରାମର କୁନା କୁମାରୁକା ବୋଲି ପୁଲିସ୍‍ ପ୍ରକାଶ କରିଛି।

ସୂଚନା ଅନୁସାରେ ଗତ କିଛିଦିନ ହେଲା କୁନା କୋଟଗଡ଼ରେ  ତାର ଆଡ଼ା ଜମାଇଥିବା ବେଳେ ସେ କୋଟଗଡ଼ର ଥାନାର ସିଗ୍‍ନାଲ୍‍ ଏ.ଏସ୍‍.ଆଇ ଫିକର ଚରଣ ପାତ୍ରଙ୍କ ସହିତ ମଧ୍ୟ ସଂପର୍କ ସ୍ଥାପନ କରିଥିଲେ। ଗତ ୬ ତାରିଖ ଦିନ ଅତି ଚତୁରତାର ସହିତ ଅଭିଯୁକ୍ତ ଜଣକ ମଟନ ଆଣିବାକୁ ଯିବା ପାଇଁ କହି ଏ.ଏସ୍‍.ଆଇଙ୍କୁ ତାଙ୍କର ଗାଡ଼ି ମାଗିଥିଲା। ଏଥିରେ ବିଶ୍ୱାସ କରି ଏ.ଏସ୍‍.ଆଇ ଗାଡ଼ି ଦେଇଥିିବା ବେଳେ ସେ ଆଉଫେରିନଥିଲା। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ସେ ଫେରିନଥିବା ବେଳେ ଏନେଇ କୋଟଗଡ଼ ଥାନାରେ ଏକ ଏତଲା ଦିଆଯାଇଥିଲା। ଏତଲା ପ୍ରକାରେ ପୁଲିସ୍‍ ଏକ ମାମଲା ରୁଜୁକରିବା ସହିତ ଫୋନ୍‍ ଟ୍ରାକିଂ ଆରମ୍ଭ କରିଥିଲା। ଆଜି ଅଭିଯୁକ୍ତୁ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଡ଼ାଙ୍ଗସୋରଡ଼ା ଜଙ୍ଗଲର ଗିରଫ କରିଥିବା ଥାନା ଅଧିକାରୀ ହର ମୋହନ ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ପୂର୍ବରୁ ଏକାଧିକ ମାମଲାରେ ଜଡ଼ିତ ଥିବା ବେଳେ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଚୋରି ହୋଇଥିବା ଏକ ମଟର ସାଇକଲ ମଧ୍ୟ ଆଜି ପୁଲିସ୍‍ ଉଦ୍ଧାର କରିଛି। ପୂର୍ବରୁ ଉକ୍ତ ଅଭିଯୁକ୍ତ ନାମରେ ଚାନ୍ଦିଲି ଥାନା , ମୁନିଗୁଡ଼ା ଥାନା ଓ ଗୁଡ଼ାରି ଆଦି ଥାନାରେ ମଧ୍ୟ ମଟର ସାଇକଲ ଚୋରି ଅଭିଯୋଗରେ ମାମଲା ରୁଜୁହୋଇଥିବା ବେଳେ ଗତ ୨୦୧୯ ମସିହାରେ ଗୁଡ଼ାରି ଥାନାରେ ଜଣେ ବ୍ୟକ୍ତିକୁ ବମ୍‍ ପକାଇ ମାରିଦେବା ଧମକ ଦେବା ସହିତ ବଟି ଆଦାୟ କରିବାରେ ମଧ୍ୟ ଏକ ମାମଲା ରୁଜୁହୋଇଥିବାର ଜଣାଯାଇଛି।

Comments are closed.